ଯୁବତୀଙ୍କୁ ପିଛା କରି ଗେଟ୍ ଭିତରେ ପଶିଗଲେ ରୋମିଓ, ତା’ ପରେ...
ପୁରୀ: ମର୍ଣ୍ଣିଂୱାକ୍ କରୁଥିଲା । ଏତିକି ବେଳେ ଜଣେ ସୁନ୍ଦରୀଙ୍କୁ ଦେଖିଲା । ବାସ୍, ଏହାପରେ ସବୁକିଛି ଓଲଟପାଲଟ ହୋଇଗଲା । ଜଗିଂ, ସ୍କିପିଂରେ ଆଉ ମନ ଲାଗିଲାନି । ଦିନରାତି ସବୁବେଳେ ଯୁବତୀଙ୍କ ଛବି ଆଖି ଆଗରେ ନାଚି ଉଠିଲା । ସବୁଦିନ ସକାଳେ ମର୍ଣ୍ଣିଂୱାକ୍ କରିବାକୁ ଆସୁଥିଲେ ସତ, ହେଲେ ଆଖି ଥିଲା ସେଇ ତରୁଣୀଙ୍କ ଉପରେ । ଦୁଇ ଦିନ ଧରି ତାଙ୍କୁ ପିଛା କଲେ । ଆଉ ଶେଷରେ ଧୈର୍ଯ୍ୟହରା ହୋଇଗଲେ । ଯୁବତୀଙ୍କୁ ଗେଟ୍ ଡେଇଁ ଭିତରକୁ ପଶିବାକୁ ବି ପଛାଇଲେ ନାହିଁ । ଏମିତି ଘଟଣା ଘଟିଛି ପୁରୀ ସମୁଦ୍ରକୂଳ ଥାନା ଅଞ୍ଚଳରେ ।
ପୁଲିସ୍ କହିବା ଅନୁଯାୟୀ, ଶ୍ରୀକ୍ଷେତ୍ର କଲୋନୀରେ ଯୁବତୀଙ୍କ ଘର । ସେ ତାଙ୍କ ବାପାଙ୍କ ସହ ମର୍ଣ୍ଣିଂୱାକରେ ଯାଆନ୍ତି । ଏହି ସମୟରେ ସିଦ୍ଧମହାବୀର ମାରୁତୀ ନଗର ସୁନୀଲ କୁମାର ବେହେରା (୨୬) ତାଙ୍କୁ ଦେଖିଥିଲେ । ଯୁବତୀଙ୍କୁ ଦେଖିବା ପରେ ସୁନୀଲ ମନେ ମନେ ଭଲ ପାଇ ବସିଥିଲା । ମାତ୍ର ଅଳ୍ପ ସମୟ ଭିତରେ ସେ ପିଛା କରିବା ଆରମ୍ଭ କରି ଦେଇଥିଲା । ବାପ-ଝିଅ ଯୁଆଡ଼େ ଚାଲି ଚାଲି ଗଲେ ସେ ତାଙ୍କୁ ପିଛା କରିଥିଲା । ରବିବାର ସକାଳେ ଯୁବତୀଙ୍କ ପଛରେ ଯାଇ ତାଙ୍କ ଗେଟ୍ ଡେଇଁ ଘରେ ପଶିଥିଲା ସୁନୀଲ । ଏହାପରେ ତାକୁ କାବୁ କରି ପଚାରିବାବେଳେ ଭଲ ଲାଗିବାରୁ ପଶିଗଲି ବୋଲି ସେ କହିଥିଲା । ଯୁବତୀଙ୍କ ପରିବାର ଲୋକେ ସୁନୀଲକୁ କାବୁ କରିବା ସହିତ ପ୍ରବଳ ମାଡ଼ ମାରିଥିଲେ । ଖବରପାଇ ପୁଲିସ୍ ପହଞ୍ଚି ଥିଲା । ସୁନୀଲକୁ ଉଦ୍ଧାର କରିଥିଲା । ଏନେଇ ଯୁବତୀ ଜଣଙ୍କ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
Powered by Froala Editor