ଉଦୟପୁର-ଅହମ୍ମଦାବାଦ ରେଳଧାରଣାରେ ବିସ୍ଫୋରଣ
ରାଜସ୍ଥାନର ଉଦୟପୁର-ଅହମ୍ମଦାବାଦ ରେଳଧାରଣାରେ ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି । ଉକ୍ତ ଲାଇନ୍ ଦେଇ ଅସରୱା-ଉଦୟପୁର ଏକ୍ସପ୍ରେସ୍ ପାରି ହେବା ପୂର୍ବରୁ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ମଧ୍ୟ ମିଳିଛି । ବର୍ତ୍ତମାନ ପୁଲିସ ଏବଂ ରେଳ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରଣ ପରେ ଟ୍ରେନ ଚଳାଚଳକୁ ବନ୍ଦ ରଖାଯାଇଛି । ଘଟଣା ପଛରେ ନକ୍ସଲଙ୍କ ହାତ ଥିବା ସନ୍ଦେହ କରାଯାଉଛି। ତେବେ ସ୍ଥାନୀୟ ଗ୍ରାମବାସୀଙ୍କ ସତର୍କତା ହେତୁ ଏହି ନୂତନ ମାର୍ଗରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଟ୍ୱିଟ କରି ଉଦୟପୁର-ଅହମ୍ମଦାବାଦ ରେଳ ଲାଇନ୍ରେ ଓଡା ରେଳ ବ୍ରିଜ କ୍ଷତି ଘଟିବା ଘଟଣା ଚିନ୍ତାର ବିଷୟ। ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଅଛନ୍ତି। ଡିଜି ପୁଲିସକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେତୁ ପୁନଃନିର୍ମାଣ ପାଇଁ ରେଳବାଇ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛନ୍ତି ।
ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ରେଳ ଲାଇନରେ ବିସ୍ଫୋରକ ପଡିଥିବାବେଳେ ରେଳ ବ୍ରିଜକୁ ଉଡ଼ାଇବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଥିଲା । ଅନେକ ସ୍ଥାନରେ ଟ୍ରାକଗୁଡିକ ଭାଙ୍ଗି ଯାଇଥିବାବେଳେ ସେତୁ ଉପରେ ଥିବା ଲାଇନରୁ ବୋଲ୍ଟ ମଧ୍ୟ ଦୃବୁର୍ତ୍ତ ଖୋଲି ନେଇଥିଲେ ।
ସୂଚନାଯୋଗ୍ୟ ଯେ, ୧୩ ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ରେଳ ଲାଇନ ଲୋକାର୍ପଣ ହୋଇଥିଲା ।
Powered by Froala Editor