ସେଲଫି ନେବା ବେଳେ ଅଘଟଣ, ନଦୀ ଭିତରକୁ ଖସି ପଡ଼ିଲେ ଯୁବକ

ନବରଙ୍ଗପୁର: ପୁଣି କାଳ ହେଲା ସେଲଫି। ସେଲଫି ନେବା ବେଳେ ନଦୀ ଭିତରକୁ ଖସି ପଡ଼ିଲେ ଯୁବକ। ଏପର୍ୟ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ। ଏଭଳି ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ଘୁମରେଶ୍ୱର ଶୈବପୀଠରେ। ନିଖୋଜ ଯୁବକ ଜଣଙ୍କ ହରିବନ୍ଧୁ ଗୌଡ଼ । ତାଙ୍କୁ ୧୮ ବର୍ଷ ହୋଇଥିଲା।
ଗତକାଲି ହରିବନ୍ଧୁ ନିଜର ଦୁଇ ବନ୍ଧୁଙ୍କ ସହ ଘୁମରେଶ୍ୱର ଶୈବପୀଠ ବୁଲିବାକୁ ଆସିଥିଲେ। ସେଠାରେ ଥିବା ସୁଉଚ୍ଚ ଜଳପ୍ରପାତ ଉପରେ ଠିଆ ହୋଇ ଫଟୋ ଉଠାଇବା ବେଳେ ହରିବନ୍ଧୁଙ୍କ ଗୋଡ଼ ଖସିଯାଇଥିଲା। ଜଳପ୍ରପାତ ଉପରୁ ତଳକୁ ପଡ଼ି ଯାଇଥିଲେ। ସାଙ୍ଗମାନେ ଏନେଇ ହରିବନ୍ଧୁଙ୍କ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଗତକାଲିଠୁ ହରିବନ୍ଧୁଙ୍କୁ ଖୋଜାଖୋଜି କରୁଥିଲେ ମଧ୍ୟ ଏପର୍ୟ୍ୟନ୍ତ ତାଙ୍କ ପତ୍ତା ମିଳିନାହିଁ। ପୁଅ ଗତକାଲିଠୁ ନିଖୋଜ ଥିବାରୁ ପରିବାରରରେ ଶୋକର ଛାୟା ଖେଳିଯାଇଛି। ଆଜି ବି ଅଗ୍ନିଶମ ବାହିନୀ ହରିବନ୍ଧୁଙ୍କୁ ଖୋଜାଖୋଜି କରୁଛନ୍ତି।
Powered by Froala Editor