ରୋଜର ବିନ୍ନି BCCI ନୂଆ ଅଧ୍ୟକ୍ଷ ନିଯୁକ୍ତ
୧୯୮୩ ବିଶ୍ୱକପ ବିଜେତା ପୂର୍ବତନ ଭାରତୀୟ ଅଲରାଉଣ୍ଡର ରୋଜର ବିନ୍ନି ବିସିସିଆଇର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବିନ୍ନି ବିଦାୟୀ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ମଙ୍ଗଳବାର ଅନୁଷ୍ଠିତ ବିସିସିଆଇଙ୍କ ବାର୍ଷିକ ସାଧାରଣ ଅଧିବେସନ (ଏଜିଏମ)ରେ ନିଆଯାଇଛି।
ରୋଜର ବିନ୍ନି ବିସିସିଆଇଙ୍କ ୩୬ ତମ ଅଧ୍ୟକ୍ଷ ହୋଇଛନ୍ତି। ଏହା ପୂର୍ବରୁ ସୌରଭ ଗାଙ୍ଗୁଲୀ ୨୦୧୯ରୁ ଏହି ପଦବୀ ସମ୍ଭାଳି ଆସୁଥିଲେ। ତେବେ କିଛି ସମୟ ପୂର୍ବରୁ ଗାଙ୍ଗୁଲୀଙ୍କ କାର୍ଯ୍ୟକାଳ ବଢା ଯିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର କିଛି ଦିନରେ ସମିକରଣ ବଦଳି ଯାଇଥିଲା ଓ ଗାଙ୍ଗୁଲୀଙ୍କୁ ବିଦାୟ ନେବାକୁ ପଡିଛି।
ବିସିସିଆଇ ଇତିହାସରେ ବିଶ୍ୱକପ୍ ବିଜେତା ଭାବେ ଅଧ୍ୟକ୍ଷ ପଦ ଗ୍ରହଣ କରିବାରେ ବିନ୍ନି ହେଉଛନି ପ୍ରଥମ। ୧୯୮୩ରେ କପିଲ ଦେବଙ୍କ ନେତୃତ୍ୱାଧୀନ ଏକଦିବସୀୟ ବିଶ୍ୱକପ ବିଜେତା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ସେ ସର୍ବାଧିକ ୱିକେଟ୍ ନେଇଥିଲେ। ବିନ୍ନି ୨୭ଟି ଟେଷ୍ଟ ମ୍ୟାଚ୍ ଏବଂ ୭୨ଟି ଏକ ଦିବସୀୟ ଖେଳିଛନ୍ତି। ସେ ଦିନିକିଆରେ ୭୭ଟି ୱିକେଟ୍ ଏବଂ ଟେଷ୍ଟରେ ୪୭ଟି ୱିକେଟ୍ ନେଇଛନ୍ତି। ପୂର୍ବରୁ ବିସିସିଆଇ ଚୟନ କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରିଥିବା ୬୭ ବର୍ଷୀୟ ବିନ୍ନିଙ୍କର କ୍ରିକେଟ୍ ପ୍ରଶାସନରେ ବିପୁଳ ଅଭିଜ୍ଞତା ରହିଛି।
Powered by Froala Editor