ଜଷ୍ଟିସ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ଙ୍କୁ ପ୍ରଧାନ ବିଚାରପତି ନିଯୁକ୍ତ କଲେ ରାଷ୍ଟ୍ରପତି
ଜଷ୍ଟିସ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି। ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଆଜି ଟୁଇଟ୍ କରି ଘୋଷଣା କରିଛନ୍ତି । ସେ ଆସନ୍ତା ନଭେମ୍ବର ୯ରେ ଶପଥ ଗ୍ରହଣ କରିବେ ।
ନିଜ ଟୁଇଟରେ ରିଜିଜୁ ଲେଖିଛନ୍ତି ଯେ ସମ୍ବିଧାନ ପ୍ରଦତ୍ତ କ୍ଷମତା ଅନୁସାରେ ଭାରତର ରାଷ୍ଟ୍ରପତି ଜଷ୍ଟିସ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ଙ୍କୁ ନଭେମ୍ବର ୯ରୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ କରିଛନ୍ତି । ନୂଆ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ । ସେ ନଭେମ୍ବର ୧୦ ୨୦୨୪ରେ ଅବସର ନେବେ ।
ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ଆସନ୍ତା ନଭେମ୍ବର ୮ରେ ଅବସର ଗ୍ରହଣ କରିବେ । ତାଙ୍କର କାର୍ଯ୍ୟକାଳ ମାତ୍ର ୭୪ ଦିନ ରହିଛି । ଗତ ଅକ୍ଟୋବର ମାସରେ ପ୍ରଧାନ ବିଚାରପତି ଲଲିତ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ପଦ ପାଇଁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନାମ ସୁପାରିଶ କରିଥିଲେ । ଜଷ୍ଟିସ ଲଲିତଙ୍କ ଅବସର ପରେ ଜଷ୍ଟିସ ଚନ୍ଦ୍ରଚୂଡ଼ ବରିଷ୍ଠତମ ବିଚାପତି ଥିବାରୁ ତାଙ୍କ ନାମ ସୁପାରିଶ କରାଯାଇଥିଲା । ତେବେ ସୋମବାର କେନ୍ଦ୍ର ତାଙ୍କ ନାମକୁ ମଞ୍ଜୁରି ପ୍ରଦାନ କରିଛି।
ସୂଚନାଯୋଗ୍ୟ, ୧୯୫୯ ନଭେମ୍ବର ୧୧ରେ ଜନ୍ମ ହୋଇଥିବା ଜଷ୍ଟିସ ଚନ୍ଦ୍ରଚୂଡଙ୍କ ପିତା ମଧ୍ୟ ଭାରତର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ ତୁଳାଇଛନ୍ତି। ତାଙ୍କ ପିତା ଯଶବନ୍ତ ବିଷ୍ଣୁ ଚନ୍ଦ୍ରଚୂଡ ଦୀର୍ଘ ସମୟ ଧରି ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ୧୯୭୮ ରୁ ୧୯୮୫ ପର୍ଯ୍ୟନ୍ତ ଅଥାତ୍ ଦୀର୍ଘ ୭ବର୍ଷ ପାଇଁ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିଥିଲେ।
Powered by Froala Editor