ଦ୍ବିତୀୟ ଥର ପାଇଁ DMK ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ତାମିଲନାଡୁୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ଦ୍ବିତୀୟ ଥର ପାଇଁ DMK ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ତାମିଲନାଡୁୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ଆଜି ଦଳୀୟ ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତି କ୍ରମେ ଦ୍ବିତୀୟ ଥର ପାଇଁ ଦଳର ସଭାପତି ଭାବେ ଷ୍ଟାଲିନଙ୍କୁ ମନୋନୀତ କରାଯାଇଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିରାସ୍ବାମୀ ସର୍ବସମ୍ମତି କ୍ରମେ ଷ୍ଟାଲିନଙ୍କୁ ପୁଣି ଥରେ ଦଳର ସୁପ୍ରିମୋ ଭାବେ ଚୟନ କରାଯାଉଥିବା ଘୋଷଣା କରିଛନ୍ତି।
ସେହିପରି ଦ୍ବିତୀୟ ଥର ପାଇଁ ଷ୍ଟାଲିନ ଦଳର ସୁପ୍ରିମୋ ଭାବେ ମନୋନୀତ ହୋଇଥିବା ବେଳେ ଦୁରାଇ ମୁରଗନ ଦଳର ମହାସଚିବ ଭାବେ ମଧ୍ୟ ଦ୍ବିତୀୟ ଥର ମନୋନୀତ ହୋଇଛନ୍ତି । ଦଳର ଅନ୍ୟତମ ବରିଷ୍ଠ ନେତା ଟି.ଆର ବାଲୁ ମଧ୍ୟ ପୂର୍ବପରି କୋଷାଧ୍ୟକ୍ଷ ଦାୟିତ୍ବ ବଜାୟ ରଖିବେ । ସେହିପରି ସାଙ୍ଗଠନିକ ଦାୟିତ୍ବରେ ମହିଳାଙ୍କୁ ମଧ୍ୟ ସ୍ଥାନ ମିଳିଛି । ଡିଏମକେ ମହିଳା ମୋର୍ଚ୍ଚା ମୁଖ୍ୟ ତଥା ସାଂସଦ କାନିମୋଝୀ ଦଳର ଉପ ମହାସଚିବ ଭାବେ ଦାୟିତ୍ବ ତୁଲାଇବେ । ଏହା ପୂର୍ବରୁ ଏହି ଦାୟିତ୍ବରେ ଦଳର ଅନ୍ୟତମ ବରିଷ୍ଠ ନେତ୍ରୀ ଶୁଭଲକ୍ଷ୍ମୀ ଜଗଧେସନ ଥିଲେ । ଗତମାସରେ ସେ ଦଳର ପ୍ରାଥମିକ ସଦସ୍ୟା ପଦରୁ ଇସ୍ତଫା ଦେଇଥିଲେ ।୨୦୨୧ ମସିହାରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ AIADMKକୁ ପଛରେ ପକାଇ ରାଜ୍ୟରେ କ୍ଷମତା ହାତେଇବାରେ ସଫଳ ହୋଇଥିବା DMK । ଏମ.କେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ପୂର୍ବରୁ ମଧ୍ୟ ଦଳ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରି ସାରିଥିବା ବେଳେ ଆଜି ଦ୍ବିତୀୟ ଥର ପାଇଁ ଦଳ ସୁପ୍ରିମୋ ଭାବେ ପୁଣି ମନୋନୀତ ହୋଇଛନ୍ତି ।
Powered by Froala Editor