ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି, ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ ହେବ ଦ୍ୟୂତକ୍ରୀଡ଼ା ପ୍ରତିଯୋଗିତା

ପୁରୀ: ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ରବିବାର ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତି । ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ ପାରମ୍ପରିକ ଦ୍ୟୂତକ୍ରୀଡ଼ା ପ୍ରତିଯୋଗିତା ହେବ । ମା’ଲକ୍ଷ୍ମୀ ସାଆନ୍ତାଣୀଙ୍କଠାରୁ ପରାସ୍ତ ହୋଇ ମହାପ୍ରଭୁ ନିଜେ ବନ୍ଧକ ରହିବେ । ଉଭୟଙ୍କ ପକ୍ଷରୁ ସେବାୟତ ଦେବ ନୀତି ସମ୍ପନ୍ନ କରିବେ । ଏଥିସହିତ ଶ୍ରୀସୁଦର୍ଶନ ଦେବ ନଗର ପରିକ୍ରମା କରିବେ ।
ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ କୁମାରପୂର୍ଣ୍ଣମୀ ନୀତି ହେବ । ମା’ ଲକ୍ଷ୍ମୀ, ସରସ୍ୱତୀ ଖଟଶେଯକୁ ବିଜେ ହେବେ । ରତ୍ନସିଂହାସନରୁ ଶ୍ରୀସୁଦର୍ଶନ ଦେବ ଜଗମୋହନକୁ ବିଜେ କରିବେ । ସେଠାରେ ଠାକୁରେ ପାଟପତନି ଓ ଚୂଳଲାଗି ହେବେ । ଘଣ୍ଟ ଘଣ୍ଟା ଛତା ଓ କାହାଳୀର ପଟୁଆରରେ ଶ୍ରୀସୁଦର୍ଶନ ଦେବ ନଗର ପରିକ୍ରମା କରିବେ । ପୁରାଣ ପ୍ରସିଦ୍ଧ ଋଷି ଆଶ୍ରମରେ ଠାକୁରେ ବିଜେ ହୋଇ ଦେବନୀତି ସମ୍ପନ୍ନ ହେବ । ଠାକୁରେ ଶ୍ରୀମନ୍ଦିରକୁ ଫେରିଲେ ଅନ୍ୟାନ୍ୟ ନୀତି ବଢି ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ହେବ । ଦକ୍ଷିଣଘରୁ ଶ୍ରୀମଦନମୋହନ ବିଜେ ହେବେ । ମା’ଲକ୍ଷ୍ମୀ ଓ ମଦନମୋହନଙ୍କୁ ଆଜ୍ଞାମାଳ ଅର୍ପଣ କରାଯିବ । ପାଲିଙ୍କିରେ ବିଜେ ହୋଇ ଦେବଦେବୀ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ମନ୍ଦିରକୁ ଯିବେ ।
ସେଠାରେ ଦେବ ଦମ୍ପତି ପାରମ୍ପରିକ ଖେଳ ଖେଳିବେ । ଉଭୟଙ୍କ ପକ୍ଷରୁ ସେବକମାନେ କ୍ରୀଡ଼ାରେ ଅଂଶ ଗ୍ରହଣ କରିବେ । କଉଡ଼ିରେ ପଶା ଓ ଶକଟା ଆଦି ପାରମ୍ପରିକ କ୍ରୀଡ଼ା ପ୍ରତିଯୋଗିତା ହେବ । ଠାକୁରଙ୍କୁ ଫଳମୂଳ ଆଦି ଶୀତଳ ଭୋଗ ଅର୍ପଣ କରାଯିବ । ପରେ ଠାକୁରଙ୍କ ଚନ୍ଦନଲାଗି ସର୍ବାଙ୍ଗ ବଢି ନୂଆଲୁଗା ଲାଗି ହୋଇ ବେଶ ହେବ । ବଡ଼ସିଂହାର ଧୂପ ବଢ଼ିବ । ପନ୍ତିଭୋଗ ହେବ । ପୁନର୍ବାର ଦିଅଁମାନଙ୍କ ତରଫରୁ ସେବକମାନେ ପାରମ୍ପରିକ ଦ୍ୟୂତ କ୍ରୀଡ଼ା ଖେଳିବେ । ଶ୍ରୀଜଗନ୍ନାଥ ମହାପ୍ରଭୁ ପାରମ୍ପରିକ କ୍ରୀଡ଼ା ଶକଟା, ପଶା ଓ କଉଡ଼ି ଖେଳରେ ମା’ଲକ୍ଷ୍ମୀ ଠାକୁରାଣୀଙ୍କଠାରୁ ହାରିବେ । ସର୍ତ୍ତ ମୁତାବକ ମହାପ୍ରଭୁ ଠାକୁରାଣୀଙ୍କ ନିକଟରେ ବନ୍ଧକ ରହିବେ ।
Powered by Froala Editor