ଧନୁ-ତୀର ଚିହ୍ନ ବ୍ୟବହାରରେ ରୋକ ଲଗାଇଲେ ନିର୍ବାଚନ କମିସନ

ଶିବସେନାର ନିର୍ବାଚନୀ ଚିହ୍ନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ । କିଏ ପ୍ରକୃତ ଶିବସେନା ତାହାକୁ ନେଇ ଉଦ୍ଧବ ଗୋଷ୍ଠୀ ଓ ଏକନାଥ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଚାଲିଥିବାବେଳେ ଶିବସେନାର ନିର୍ବାଚନୀ ଚିହ୍ନ ଧନୁ ଓ ତୀର ଉପରେ ସାମୟିକ ଭାବେ ନିଷେଧାଜ୍ଞା ଜାରି କରିଛନ୍ତି ନିର୍ବାଚନ କମିସନ । ଏହା ପରେ ଆସନ୍ତା ପୂର୍ବ ଅନ୍ଧେରୀ ଉପ ନିର୍ବାଚନରେ ଉଦ୍ଧବ ଠାକରେ ଏବଂ ସିନ୍ଦେ ଗୋଷ୍ଠୀ କେହି ମଧ୍ୟ ଶିବସେନାର ଚିହ୍ନ ଧନୁ ଏବଂ ତୀର ବ୍ୟବହାର କରିପାରିବେ ନାହିଁ । ଅକ୍ଟୋବର ୧୦ ଅପରାହ୍ଣ ୧ଟା ସୁଦ୍ଧା ନିଜ-ନିଜ ନିର୍ବାଚନୀ ଚିହ୍ନ ନିର୍ବାଚନ ଆୟୋଗରେ ହାଜର କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ପକ୍ଷ ଫ୍ରି ଚିହ୍ନ ମଧ୍ୟରୁ ନିଜର ପସନ୍ଦ ପ୍ରାଥମିକତା ଆଧାରରେ କହିପାରିବେ । ଏହି ଚିହ୍ନରେ ହିଁ ସେମାନଙ୍କୁ ଉପନିର୍ବାଚନ ଲଢିବାକୁ ପଡିବ।
ନିର୍ବାଚନ ଆୟୋଗ କହିଛନ୍ତି, ଶିବସେନା ଧନୁ ଏବଂ ତୀର ନିର୍ବାଚନୀ ଚିହ୍ନ ସହ ମହାରାଷ୍ଟ୍ରରେ ଏକ ମାନ୍ୟତା ପ୍ରାପ୍ତ ରାଜ୍ୟ ପାର୍ଟି । ଶିବସେନାର ସମ୍ୱିଧାନର ପ୍ରବଧାନ ଅନୁସାରେ ଶୀର୍ଷ ସ୍ତରରେ ପାର୍ଟିର ଜଣେ ମୁଖ୍ୟ ଏବଂ ଗୋଟିଏ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ରହିଛି । ୨୦୨୨ ଜୁନ ୨୫ରେ ଉଦ୍ଧବ ଠାକରେଙ୍କ ପକ୍ଷରୁ ଅଲିନ ଦେସାଇ ଆୟୋଗଙ୍କୁ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ କିଛି ବିଧାୟକ ଦଳ ବିରୋଧୀ ଗତିବିଧି ବାବଦରେ ଅବଗତ କରାଇଥିଲେ । ସେ ଶିବସେନା କିମ୍ୱା ବାଲାସାହେବଙ୍କ ନାଁର ଉପଯୋଗ କରି କୌଣସି ରାଜନୈତିକ ଦଳର ପ୍ରତିଷ୍ଠା ପଉପରେ ଆପତ୍ତି ଉଠାଇଥିଲେ । ଏହାପରେ ଏକନାଥ ସିନ୍ଦେ ଗୋଷ୍ଠୀ ପକ୍ଷରୁ ଶିବସେନାର ଚିହ୍ନ ଉପରେ ଦାବି କରାଯାଇଥିଲା ।
ଏହା ପରେ କମିସନ ଉଦ୍ଧବ ଠାକରେଙ୍କୁ ଜବାବ ରଖିବାକୁ ନୋଟିସ ଜାରି କରିଥିଲେ । ଏହାର ଜବାବରେ ଉଦ୍ଧବ ଗୋଷ୍ଠୀ ପକ୍ଷରୁ କୁହାଯାଇଥିଲା ଯେ ବିଦ୍ରୋହୀ ବିଧାୟକମାନେ ସ୍ବେଚ୍ଛାରେ ଶିବସେନା ଛାଡ଼ିଛନ୍ତି । ଏଣୁ ସେମାନଙ୍କୁ ଶିବସେନାର ନିର୍ବାଚନୀ ଚିହ୍ନ ଧନୁତୀର ମିଳିପାରିବ ନାହିଁ ।
Powered by Froala Editor