ସହଯୋଗୀଙ୍କ ମୁକ୍ତି ପାଇଁ ମନ୍ତ୍ରୀଙ୍କୁ ଅପହରଣ କରିନେଲେ ଆତଙ୍କୀ

ପାକିସ୍ତାନରେ ଆତଙ୍କବାଦୀମାନେ ଶନିବାର ଦିନ ମନ୍ତ୍ରୀ ଅବୈଦୁଲ୍ଲା ବେଗଙ୍କ ସମେତ ୨ ପର୍ଯ୍ୟଟକଙ୍କୁ ଅପହରଣ କରିନେଇଛନ୍ତି । ତେବେ କିଛି ସମୟ ପ୍ରଶାସନ ସହିତ ଆଲୋଚନା କରିବା ପରେ ସେମାନେ ମନ୍ତ୍ରୀ ଓ ପର୍ଯ୍ୟଟକମାନଙ୍କୁ ଛାଡ଼ିଦେଇଛନ୍ତି ।
ଖବର ଅନୁସାରେ, ବେଗ ଶୁକ୍ରବାର ଇସଲାମାବାଦରୁ ଗିଲଗିଟ ଆସୁଥିବା ବେଳେ ଅଧା ରାସ୍ତାରୁ ଆତଙ୍କବାଦୀ କମାଣ୍ଡର ହବିବୁର ରହମନ ଓ ତା’ର ସହଯୋଗୀମାନେ ତାଙ୍କୁ ଅପହରଣ କରିଥିଲେ। ପାକିସ୍ତାନର ଖାୟବର ପାଖତୁନଖ୍ୱା ସହ ଗିଲଗିଟ-ବାଲ୍ଟିସ୍ତାନ ଯୋଡ଼ୁଥିବା ପ୍ରମୁଖ ରାସ୍ତାରେ ବ୍ୟାରିକେଡ ଲଗାଇ ପ୍ରଥମେ ମନ୍ତ୍ରୀଙ୍କ ଗାଡ଼ି ଅଟକାଇଥିଲେ। ଏହାପରେ ସେମାନେ ମନ୍ତ୍ରୀଙ୍କ ସମେତ ୨ ଜଣ ପର୍ଯ୍ୟଟକଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ପର୍ଯ୍ୟଟକ ଅଟକ ରହିଥିଲେ।
ସେମାନେ ଜେଲରେ ବନ୍ଦୀ ଥିବା ନିଜର ସାଥୀମାନଙ୍କୁ ମୁକ୍ତ କରିବାକୁ ଦାବି କରି ଏହି କାଣ୍ଡ ଘଟାଇଥିଲେ । ବନ୍ଦୀ ଥିବା ଆତଙ୍କବାଦୀଙ୍କ ମଧ୍ୟରେ ରହିଛନ୍ତି ନଙ୍ଗା ପର୍ବତ ଅଂଚଳରେ ବିଦେଶୀ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ । ସ୍ଥାନୀୟ ପ୍ରଶାସନ ସେମାନଙ୍କ ସହ ସଫଳତାର ସହ କଥାବାର୍ତ୍ତା କରି ମନ୍ତ୍ରୀ ଓ ଅନ୍ୟମାନଙ୍କୁ ଛଡ଼ାଇ ନେଇଥିଲେ । ତେବେ ସେମାନଙ୍କ ଦାବି ପ୍ରଶାସନ ମାନିଛି କି ନାହିଁ ତାହା ଜଣାପଡ଼ିନାହିଁ ।
ହବିବୁର କିଛି ବର୍ଷ ତଳେ ନାଙ୍ଗା ପର୍ବତରେ ୧୦ ଜଣ ବିଦେଶୀ ନାଗରିକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ଘଟଣାରେ ସାମିଲ ଥିଲା।
Powered by Froala Editor