ବାଲ୍ୟ ବିବାହରେ ଝାଡ଼ଖଣ୍ଡ ଏକ ନମ୍ବର ରାଜ୍ୟ

ନୂଆଦିଲ୍ଲୀ: ବାଲ୍ୟ ବିବାହ ରୋକିବାକୁ ସରକାର କଡ଼ା ଆଇନ ଲାଗୁ କରିଛନ୍ତି । ଏଥିପାଇଁ କଠୋର ଦଣ୍ଡ ବିଧାନ ମଧ୍ୟ ରହିଛି । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଠାରୁ ଆରମ୍ଭ କରି ସରକାର ଏନେଇ ଲୋକଙ୍କୁ ସଚେତନ କରୁଛନ୍ତି । ହେଲେ ଏହାର କିଛି ପ୍ରଭାବ ପଡ଼ୁନି । ଏବେ ମଧ୍ୟ ବିଭିନ୍ନ ରାଜ୍ୟରେ ଚାଲିଛି ବାଲ୍ୟ ବିବାହ । ଯାହାକୁ ନେଇ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ରେ କରାଯାଇଥିବା ଜନସଂଖ୍ୟା ନମୁନା ସଂଗ୍ରହ ରିପୋର୍ଟ ସାର୍ବଜନିନ କରିଛନ୍ତି । ଏଥିରେ ଝାଡ଼ଖଣ୍ଡ ବାଲ୍ୟ ବିବାହରେ ଏକ ନମ୍ବର ରାଜ୍ୟ ଭାବେ ପରିଗଣିତ ହୋଇଛି । ଏଠାରେ ସର୍ବାଧିକ ନାବାଳିକାଙ୍କ ବାହାଘର କରାଯାଇଥିବା ଜଣାପଡ଼ିଛି ।
ରିପୋର୍ଟ ଅନୁସାରେ, ଝାଡ଼ଖଣ୍ଡରେ ୧୮ ବର୍ଷ ନହେବା ପୂର୍ବରୁ ଝିଅଙ୍କର ବିବାହ କରି ଦିଆଯାଉଛି । ବିଶେଷକରି ଗ୍ରାମାଂଚଳରେ ଏହି ସଂଖ୍ୟା ବେଶ୍ ଅଧିକ ବୋଲି ଉଲ୍ଲେଖ ହୋଇଛି । ଜାତୀୟସ୍ତରରେ ଏହା ୧.୯ ପ୍ରତିଶତ ଥିବା ବେଳେ ଝାଡ଼ଖଣ୍ଡରେ ଏହି ସଂଖ୍ୟା ୫.୮ ପ୍ରତିଶତ ରହିଛି । କେରଳରେ ଏହା ଶୂନ୍ୟ ପ୍ରତିଶତ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଝାଡ଼ଖଣ୍ଡରେ ମୋଟ ବାଲ୍ୟ ବିବାହ ହାରରୁ କେବଳ ଗ୍ରାମାଂଚଳରେ ୭.୩ ପ୍ରତିଶତ ରହିଥିବା ବେଳେ ସହରାଂଚଳରେ ଏହି ହାର ୩ ପ୍ରତିଶତ ରହିଛି । ପଶ୍ଚିମବଙ୍ଗରେ ମଧ୍ୟ ବାଲ୍ୟ ବିବାହ କରାଯାଉଛି । ଏଠାରେ ଯୁବତୀମାନଙ୍କୁ ପ୍ରାପ୍ୟ ବୟସ ପୂର୍ବରୁ ବେଦୀରେ ବସା ଯାଉଛି ।
ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମ (ଏସ୍ଆର୍ଏସ୍) ବା ନମୁନା ପଞ୍ଜିକରଣ ପ୍ରଣାଳୀରେ ଏହି ସର୍ଭେ କରାଯାଇଥିଲା । ୮.୪ ମିଲିୟନ ଲୋକଙ୍କୁ ଏହି ତଥ୍ୟ ସଂଗ୍ରହରେ ସାମିଲ କରାଯାଇଛି । ଗତ ସେପ୍ଟେମ୍ବରରେ ଏହି ରିପୋର୍ଟ ପ୍ରକାଶ ପାଇଛି ।
Powered by Froala Editor