ବିଧାନସଭା ଉପନିର୍ବାଚନ:ପ୍ରଥମ ପର୍ୟ୍ୟାୟରେ ୩ ଟି ରାଜ୍ୟର ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ୬ ରାଜ୍ୟରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟରେ ୩ ଟି ରାଜ୍ୟର ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ହରିୟାଣା, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ଏହି ଘୋଷଣା କରିଛି ଦଳ । ଆଜି ଦଳ ପକ୍ଷରୁ ପ୍ରେସ ରିଲିଜ ଜାରି କରାଯାଇ ନେଇ ଆନୁଷ୍ଠାନିକ ଭାବେ ୩ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।
ହରିୟାଣାର ଆଦମପୁର ବିଧାନସଭା କ୍ଷେତ୍ରରୁ ଭବ୍ୟ ବିଷ୍ଣୋଇଙ୍କୁ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପାଇଁ ଟିକେଟ ଦେଇଥିବା ବେଳେ ତେଲେଙ୍ଗାନାର ମୁନୁଗୋଡେ ବିଧାନସଭା ସିଟରେ ଦଳ ପକ୍ଷରୁ କୋମାତିରେଡ୍ଡୀ ରାଜଗୋପାଲ ରେଡ୍ଡୀ ନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତା କରିବେ । ସେହିପରି ଉତ୍ତର ପ୍ରଦେଶର ଗୋଲା ଗୋରଖନାଥ ଆସନରୁ ଅମନ ଗିରିଙ୍କୁ ଟିକେଟ ଦେଇଛି ଦଳ । ବିଭିନ୍ନ କାରଣରୁ ଏହି ସବୁ ଆସନରେ ଉପନିର୍ବାଚନ ହେବାକୁ ଯାଉଛି ।
ବିଭିନ୍ନ କାରଣ ପାଇଁ ୬ଟି ରାଜ୍ୟରେ ଖାଲି ପଡିଥିବା ୭ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ନିର୍ବାଚନ ଆୟୋଗ । ମହାରାଷ୍ଟ୍ରର ଅନ୍ଧେରୀ-ଇଷ୍ଟ ବିଧାନସଭା ଆସନ, ବିହାରର ଦୁଇଟି ଆସନ, ମୋକାମା ଗୋପାଳଗଞ୍ଜ, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡେ, ଉତ୍ତର ପ୍ରଦେଶର ଗୋଲା ଗୋରଖନାଥ ଓ ଓଡିଶାର ଧାମନଗର ବିଧାନସଭା ଆସନରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେବ ।
Powered by Froala Editor