ହିଜାବକୁ ବିରୋଧ କରି ମଞ୍ଚରେ ଚୁଟି କାଟିଲେ କଣ୍ଠଶିଳ୍ପୀ

ଇରାନ୍ରେ ହିଜାବକୁ ନେଇ ଲଗାତର ବିରୋଧ ଜାରି ରହିଛି। ଏବେ ଏହି ଆନ୍ଦୋଳନର ନିଆଁ ତୁର୍କିକୁ ମଧ୍ୟ ବ୍ୟାପିଛି। ତୁର୍କୀର ଜଣେ ମହିଳା କଣ୍ଠଶିଳ୍ପୀ ମେଲେକ ମୋସୋ ଇରାନରେ ଚାଲିଥିବା ହିଜାବ ବିରୋଧୀ ପ୍ରଦର୍ଶନରେ ନିଜର ସମର୍ଥନ ଜଣାଇଛନ୍ତି । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ କଣ୍ଠଶୀଳ୍ପି ନିଜର ଚୁଟି କାଟୁଥିବା ଦେଖିବାକୁ ମିଳୁଛି ।
ତୁର୍କୀର କଣ୍ଠଶିଳ୍ପୀ ମେଲେକ ମୋସୋ। ଇରାନ୍ରେ ଜାରି ରହିଥିବା ଆଣ୍ଟି ହିଜାବ ପ୍ରୋଟେଷ୍ଟକୁ ସେ ସମର୍ଥନ କରିଛନ୍ତି। ଏହି ଆନ୍ଦୋଳନକୁ ସମର୍ଥନ କରି ମେଲେକ ନିଜର ଲାଇଭ୍ ଶୋ’ ବେଳେ ମଞ୍ଚ ଉପରେ ହିଁ କଇଁଚି ସାହାଯ୍ୟରେ ନିଜ କେଶ କାଟି ପକାଇଛନ୍ତି। ଏଥିସହ ହିଜାବକୁ ବିରୋଧ କରୁଥିବା ମୁସଲିମ ମହିଳାଙ୍କ ସପକ୍ଷରେ ସେ ସ୍ୱର ଉଠାଇଛନ୍ତି।
ଏହି ସମୟରେ ସେ କହିଥିଲେ, ‘ଆଜି ରାତିରେ ମୁଁ ସବୁ ମହିଳାଙ୍କ ପାଇଁ ଗୀତ ଗାଇବି । ୩୩ ବର୍ଷୀୟ କଣ୍ଠଶୀଳ୍ପି କହିଥିଲେ, କେହି ମଧ୍ୟ ଆମର ଗୀତ, ଆମର ସ୍ୱାଧୀନତାକୁ ଛଡାଇ ନେଇପାରିବ ନାହିଁ’। ତୁର୍କୀରେ କଟ୍ଟରତା ବଢୁଥିବା ବେଳେ ମେଲେକଙ୍କ ଏହିପରି ପଦକ୍ଷେପ ନେଇଛନ୍ତି । ଏକଦା ତୁର୍କୀରେ ହିଜାବ ଉପରେ ବ୍ୟାନ ଲାଗିଥିଲା କିନ୍ତୁ ଏର୍ଡୋଗାନ ରାଷ୍ଟ୍ରପତି ହେବା ପରେ ହିଜାବ ଉପରୁ ପ୍ରତିବନ୍ଧକ ଫେରାଇ ନିଆଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ୨୨ ବର୍ଷୀୟ ମହସା ଅମିନିଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଛି ଏହି ହିଜାବ ବିରୋଧୀ ଆନ୍ଦୋଳନ। ସେପ୍ଟେମ୍ବର ୧୩ ତାରିଖରେ ମହସା ନିଜ ପରିବାର ସହ ବୁଲିବା ପାଇଁ ବାହାରିଥିଲେ। ଏହି ସମୟରେ ସେ ହିଜାବକୁ ସଠିକ୍ ରୂପେ ପିନ୍ଧି ନଥିଲେ। ଏହାକୁ ନେଇ ତାଙ୍କୁ ଇରାନ ପୁଲିସ ଗିରଫ କରିନେଇଥିଲା। ପୁଲିସ ହେପାଜତରେ ମହସାଙ୍କୁ ନିର୍ମମ ମାଡ ମଧ୍ୟ ମରାଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ତାଙ୍କୁ ପୁଲିସ ତୁରନ୍ତି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ସେ କୋମାକୁ ଚାଲିଯାଇଥିଲେ। ୩ ଦିନ ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ମହସାଙ୍କ ମୃତ୍ୟୁ ଏହି ହିଜାବ ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଛି।
Powered by Froala Editor