ଦେଶର ନୂଆ ସିଡିଏସ ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ

ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନଙ୍କୁ ଭାରତର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ନିଯୁକ୍ତ କରାଯାଇଛି । ସେ ଗତ ବର୍ଷ ମେ ମାସରେ ସେନାରୁ ଅବସର ଗ୍ରହଣ କରିଥିଲେ । ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁର ୯ ମାସ ପରେ ଦେଶ ୨ୟ ସିଡିଏସଙ୍କୁ ପାଇଛି ।
ସିଡିଏସ ପଦଭାର ସହ ସେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ମିଲିଟାରୀ ବ୍ୟାପାର ବିଭାଗର ସଚିବ ଭାବେ କାମ କରିବେ । ଅନୀଲ ଚୌହ୍ୱାନ ଦେଶର ଡିଜିଏମଏଓ, ସେନାର ପୂର୍ବ କମାଣ୍ଡର ପ୍ରମୁଖ ଭାବେ ସେବା ପ୍ରଦାନ କରିସାରିଛନ୍ତି । ବର୍ତ୍ତମାନ ସମୟରେ ସେ ନ୍ୟାସନାଲ ସିକ୍ୟୁରିଟି କାଉନସିଲ ସଚିବାଳୟରେ ମିଲିଟ୍ରୀ ପରାମର୍ଶଦାତା ଭାବେ ନିଯୁକ୍ତ ଅଛନ୍ତି । ଦୁର୍ଘଟଣାରେ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ପରେ ସିଡିଏସ ପଦ ଖାଲି ରହିଥିଲା।
ନିଜର ୪୦ ବର୍ଷର ସେନା କ୍ୟାରିୟରରେ ସେ ସେନାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବୀରେ କାମ କରିଛନ୍ତି । ଆତଙ୍କବାଦ ନିରୋଧୀ ଅଭିଯାନରେ ତାଙ୍କର ଗଭୀର ଅଭିଜ୍ଞତା ରହିଛି । ସେ ନ୍ୟାସନାଲ ଡିଫେନ୍ସ ଏକେଡେମୀ ଖଡକଓ୍ବାସଲା ଓ ନ୍ୟାସନାଲ ମିଲିଟାରୀ ଏକାଡେମୀ,ଡେରାଡୁନର ଛାତ୍ର ଥିଲେ । ସେ ୧୯୮୧ରେ ୧୧-ଗୋର୍ଖା ରାଇଫଲ୍ସରେ ଯୋଗ ଦେଇଥିଲେ ।
ମେଜର ଜେନେରାଲ ରାଙ୍କରେ ସେ ଉତ୍ତର କମାଣ୍ଡର ଗୁରୁତ୍ୱପୂର୍ଣ୍ଣ ବାରାମୁଲା ସେକ୍ଟରରେ ଏକ ଇନଫ୍ରେଣ୍ଟ୍ରୀ ଡିଭିଜନର ନେତୃତ୍ୱ ନେଇଥିଲେ। ଏହାପରେ ସେ ଲେଫ୍ଟନାଣ୍ଟ ଜେନେରାଲ ଭାବେ ଉତ୍ତର ପୂର୍ବ ଭାରତର ଏକ ପ୍ରମୁଖ କମାଣ୍ଡର ଦାୟିତ୍ୱ ସମ୍ଭାଳିଥିଲେ। ଏହାପରେ ୨୦୧୯ ଡିସେମ୍ୱରରେ ପୂର୍ବ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ- ଇନ-ଚିଫ୍ ହୋଇଥିଲେ। ୨୦୨୧ରେ ସେନାରୁ ଅବସର ନେବା ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଏମଆଇ-୧୭ ହେଲିକପ୍ଟରରେ ଜେନେରାଲ ରାଓ୍ବତଙ୍କ ସମେତ ମୋଟ ୧୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣ ସେହିଦିନ ପ୍ରାଣ ହରାଇଥିବାବେଳେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂ କିଛି ଦିନ ମୃତ୍ୟୁ ସହ ଲଢେଇ କରିବା ପରେ ଡିସେମ୍ବର ୧୫ରେ ମୃତ୍ୟୁବରଣ କରିଥିଲେ ।
Powered by Froala Editor