ଆତଙ୍କବାଦ ପ୍ରସଙ୍ଗ: ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ପରୋକ୍ଷରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର । ମିଳିତ ଜାତିସଂଘ ସାଧାରଣ ସଭାର ଅଧିବେଶନକୁ ସମ୍ବୋଧିତ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନ ଓ ଚୀନକୁ ପରୋକ୍ଷ ଜବାବ ଦେଇଛନ୍ତି । ଜୟଶଙ୍କର କହିଛନ୍ତି, କିଛି ରାଷ୍ଟ୍ର ଜାତିସଂଘ ଦ୍ବାରା ଘୋଷିତ ବିଶ୍ବ ଆତଙ୍କବାଦୀଙ୍କୁ ନିଜ ଦେଶରେ ଶରଣ ଦେଉଛନ୍ତି । ଆତଙ୍କବାଦକୁ ସିଧା ପ୍ରୋତ୍ସାହିତ ମଧ୍ୟ କରୁଛନ୍ତି ।
ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ ଜୟଶଙ୍କର କହିଛନ୍ତି ଭାରତ ଏହି ଦିଗରେ ପ୍ରଥମରୁ ଶୂନ୍ୟ ସହିଷ୍ଣୁତା ନୀତି ଆପଣାଇ ଆସିଛି । ଆତଙ୍କବାଦୀଙ୍କ ପ୍ରତି କୌଣସି କୋହଳ ମନୋଭାବ ଭାରତ କେବେ ହେଲେ ପୋଷଣ କରିନାହିଁ । ଆମ ମତରେ ଆତଙ୍କବାଦ ପାଇଁ କୌଣସି ମାନବୀୟ ଦୃଷ୍ଟିକୋଣରୁ ବିଚାର କରିବାର ଆବଶ୍ୟକତା ମଧ୍ୟ ନାହିଁ । ଭାରତ ଆରମ୍ଭରୁ ହିଁ ଆତଙ୍କବାଦ ପ୍ରତି କଠୋର ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ବିଶ୍ବ ସମୂଦାୟ ନିକଟରେ ପ୍ରସ୍ତାବ ମଧ୍ୟ ରଖି ଆସିଛି।ଜାତିସଂଘର କାର୍ୟ୍ୟ ପ୍ରଣାଳୀକୁ ପ୍ରଂଶସା କରିବାକୁ ଯାଇ ଜୟଶଙ୍କର କହିଛନ୍ତି, ଆତଙ୍କବାଦ ଦମନ କ୍ଷେତ୍ରରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଜାତିସଂଘ । ଅନେକ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଓ ଏହାର ମୁଖ୍ୟମାନଙ୍କ ବିରୋଧରେ ଜାତିଂସଘ କଠୋର କଟକଣା ମଧ୍ୟ ଲାଗୁ କରିଛି । କିନ୍ତୁ ଏସବୁ ସତ୍ତ୍ବେ ମଧ୍ୟ କିଛି ରାଷ୍ଟ୍ର ଜାତିସଂଘ ଦ୍ବାରା ଗ୍ରହଣ କରାଯାଇଥିବା କାର୍ୟ୍ୟାନୁଷ୍ଠାନକୁ ନେଇ ରାଜନୀତି ମଧ୍ୟ କରୁଛନ୍ତି । ଆତଙ୍କବାଦୀଙ୍କୁ ସମସ୍ତ ସହଯୋଗ ସହ ନିଜ ଦେଶରେ ଆତ୍ମଗୋପନ କରିବା ପାଇଁ ଶରଣ ମଧ୍ୟ ଦେଉଛନ୍ତି । ଏପରି କରିବା ଦ୍ବାରା ସେମାନଙ୍କର ପ୍ରତିଷ୍ଠା ହାନୀ ହେବା ସହ ଆତଙ୍କବାଦକୁ ବଳ ମିଳୁଛି ବୋଲି ଜୟଶଙ୍କର କହିଛନ୍ତି ।
Powered by Froala Editor