‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ଶାରଳା ପୁରସ୍କାର ପାଇବେ ଡ. ଗୌରହରି ଦାସ
‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ଶାରଳା ପୁରସ୍କାର ପାଇବେ ବିଶିଷ୍ଟ ସାହିତ୍ୟିକ ତଥା କଥାକାର ଏବଂ ସାମ୍ୱାଦିକ ଡ. ଗୌରହରି ଦାସ। ତାଙ୍କୁ ୪୩ ତମ ଶାରଳା ପୁରସ୍କାର ପ୍ରଦାନ କରାଯିବ। ଅକ୍ଟୋବର ୨୬ ତାରିଖରେ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଡ. ଦାସଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ। ତାଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।
ତାଙ୍କର ଏହି ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପୁସ୍ତକ ୨୦୧୮ ମସିହାରେ ପ୍ରକାଶିତ ହୋଇଥିଲା। ଗୌରହରି ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇସାରିଛନ୍ତି। ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ ‘ଜୁଆର ଭଟ୍ଟା’ ୧୯୮୧ ମସିହାରେ ପ୍ରକାଶ ପାଇଥିଲା।
ଭଦ୍ରକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଗୌରହରି ସ୍କୁଲ ଶିକ୍ଷା ସାରିବା ପରେ କଟକ ରେଭେନ୍ସା ଇଭିନିଂ କଲେଜରେ ସ୍ନାତକ ଶିକ୍ଷା ଶେଷ କରିଥିଲେ। ତା’ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏମ୍ଏ କରିଥିଲେ। ପିଲାଟି ଦିନରୁ ସାହିତ୍ୟ ଉପରେ ତାଙ୍କର ରୁଚି ରହିଥିଲା। ପାଠପଢ଼ା ସହିତ ଲେଖାଲେଖି କରୁଥିଲେ। ଗୌରହରିଙ୍କ ବେଶ୍ ଜଣାଶୁଣା ଗଳ୍ପ ସଙ୍କଳନ ମଧ୍ୟରେ ରହିଛି- ଆଖଡ଼ା ଘର, ସ୍ୱପ୍ନ ପାଇଁ ରାତି କାହିଁ, ମାଟି କଣ୍ଢେଇ, ମାୟା, ଘର, କାଗଜଡ଼ଙ୍ଗା, ଅହଲ୍ୟାର ବାହାଘର। ଗଳ୍ପ ସହିତ ଅନେକ ଉପନ୍ୟାସ, ନାଟକ ଓ ଭ୍ରମଣ କାହାଣୀ ସେ ଲେଖିଛନ୍ତି। ସେହିପରି ତାଙ୍କ ଦ୍ୱାରା ଅନୁବାଦିତ ପୁସ୍ତକ ‘ଗୋଟିଏ ଜୀବନ ଯଥେଷ୍ଟ ନୁହେଁ’, ‘ଛେଳି ଚରାଇବାର ଦିନ’ ଓ ‘ସେହିସବୁ ପିଲାଦିନ’ ପାଠକୀୟ ଆଦୃତି ଲାଭ କରିଛି।
Powered by Froala Editor