ବିଷ୍ଣୁ ସେଠୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ନବୀନ
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲା ଧାମନଗରର ବିଜେପି ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ଟ୍ୱିଟ କରି ଲେଖିଛନ୍ତି ‘ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ । ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ୟ୍ୟ ସର୍ବଦା ସ୍ମରଣୀୟ ରହିବ । ଏପରି ଦୁଃଖଦ ସମୟରେ ଶୋକସନ୍ତପ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦାନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମାନ କରୁଛି ।’
ବିଷ୍ଣୁ ସେଠୀଙ୍କର ଆଜି ସକାଳୁ ପରଲୋକ ହୋଇଛି। ମାତ୍ର ୬୧ ବର୍ଷ ବୟରେ ଆଖି ବୁଜିଛନ୍ତି ଏହି ଟାଣୁଆ ନେତା।ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ହେବ କିଡନୀଜନିତ ବେମାରରେ ପୀଡ଼ିତ ଥିଲେ। ହେଲେ ମାସେ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ଫଳରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଫୁସଫୁସ ସଂକ୍ରମଣ ହୋଇଥିବା ଜଣାପଡ଼ିଥିବା ବେଳେ ବ୍ରେନ ଷ୍ଟ୍ରୋକ ହୋଇଥିଲା। ଫଳରେ ଅବସ୍ଥା ଗୁରୁତର ହେବାରୁ ପ୍ରାୟ ମାସେ ହେଲା ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ମାତ୍ର ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ଆଜି ସକାଳେ ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ପ୍ରାୟ ୭ଟା ୪୫ ମିନିଟ୍ରେ ଆଖି ବୁଜିଛନ୍ତି ବିଜେପିର ଏହି ପୁରୁଖା ନେତା। ଏନେଇ ଏମ୍ସର ଆଡିସନାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି।
ବିଷ୍ଣୁ ସେଠୀ ବିଜେପି ବିଧାୟକ ଭାବେ ପ୍ରଥମେ ଚାନ୍ଦବାଲି ଓ ପରେ ଧାମନଗରରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ। ରାଜ୍ୟ ରାଜନୀତିରେ ସେ ବିଜେଡି ସରକାରଙ୍କର ଜଣେ କଡା ସମାଲୋଚକ ଭାବେ ପରିଚିତ ଥିଲେ। ଜଣେ ରାଜନେତା ବାଦ ସେ ଜଣେ ଲେଖକ ଓ ସାହିତ୍ୟିକ ଭାବେ ମଧ୍ୟ ବେଶ୍ ପରିଚିତ ଥିଲେ।
Powered by Froala Editor