ପରିବହନ ବିଭାଗର ନୂଆ ନିୟମ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ରହିବ ସ୍ୱତନ୍ତ୍ର ଟ୍ରାକ୍
ଭୁବନେଶ୍ୱର : ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ରହିବ ସ୍ୱତନ୍ତ୍ର ଟ୍ରାକ୍। ଯେଉଁଥିରେ କେବଳ ପଥଚାରୀ ଚାଲିବେ। ଠିକ୍ ସେମିତି ସାଇକେଲ ଚାଳକଙ୍କ ପାଇଁ ମଧ୍ୟ ରହିବ ସ୍ୱତନ୍ତ୍ର ଟ୍ରାକ୍। କିନ୍ତୁ ସେହି ରାସ୍ତାରେ ଯାନବାହନ ଯାଇପାରିବ ନାହିଁ। ରାଜ୍ୟର ସବୁ ସଡକରେ ଏଭଳି ଡିଜାଇନ୍ ରହିବ। ଦୁର୍ଘଟଣା ରୋକିବା ଲାଗି ପରିବହନ ବିଭାଗ ରାଜ୍ୟ ମୋଟର ଭେଇକିଲ୍ ଆକ୍ଟ ୧୯୯୩ରେ ସଂଶୋଧନ କରି ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି। ସେଥିପାଇଁ ବିଭାଗ ପ୍ରସ୍ତୁତ କରିଛି ଡ୍ରାଫ୍ଟ ପଲିସି।
ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ପଥଚାରୀ ଓ ସାଇକେଲ ଚାଳକ ଯାଉଥିବାରୁ ଅଧିକାଂଶ ସମୟରେ ଭିଡ଼ ହେଉଛି। ତା’ଛଡ଼ା ଯାନବାହାନର ଦ୍ରୁତ ଗତି ଯୋଗୁ ପଥଚାରୀ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଯାହାକୁ ରୋକିବା ଲାଗି ପରିବହନ ବିଭାଗ ଡ୍ରାଫ୍ଟ ପଲିସି ପ୍ରସ୍ତୁତ କରି ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍ଏଚ୍ଏଆଇ) ପାଖକୁ ମତାମତ ପାଇଁ ପଠାଇଛି। ଖାଲି ସେତିକି ନୁହେଁ, ଯେଉଁସବୁ ସ୍ଥାନରେ ନୂଆ ରାସ୍ତା ହେବ, ସେଠାରେ ଠିକାଦାର ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାକ୍ କରିବେ। ଡିଜାଇନ୍ରେ ରାସ୍ତା ତିଆରି କରିବେ। ନଚେତ ପ୍ରକଳ୍ପ ମୂଲ୍ୟର ଏକ ପ୍ରତିଶତକୁ ଫାଇନ୍ ଆକାରରେ କଟାଯାଇ ରୋଡ୍ ସେଫଟି ଫଣ୍ଡରେ ଜମା କରାଯିବ ଡ୍ରାଫ୍ଟ ପଲିସିରେ କୁହାଯାଇଛି।
ସେହିପରି ଜାତୀୟ ରାଜପଥରେ ପ୍ରତି ୨ କିଲୋମିଟର ବ୍ୟବଧାନରେ ପଥଚାରୀ ରାସ୍ତା ପାର ହେବା ଲାଗି ଫୁଟ୍ ଓଭରବ୍ରିଜ, ସବ୍ୱେ ଓ କ୍ରସ୍ ୱେର ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଭଳି ଯୋଜନାକୁ ସଡ଼କ ସୁରକ୍ଷା କର୍ମୀ ସ୍ୱାଗତ କରିଥିବା ବେଳେ ରାସ୍ତାକଡ଼ରେ ଜବରଦଖଲ ଉଚ୍ଛେଦ ବଡ଼ ଚାଲେଞ୍ଜ ହେବ ବୋଲି ମତ ରଖିଛନ୍ତି। ତେବେ ଏନେଇ ପରିବହନ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ।
Powered by Froala Editor