ବଢିଲା ଅଡୁଆ: ସ୍ବାମୀ ରହୁଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁ୍ବ୍ରମଣ୍ୟମ ସ୍ବାମୀଙ୍କ ପାଇଁ ବଢିଲା ଅଡୁଆ । ସ୍ବାମୀ ରହୁଥିବା ସରକାରୀ ବଙ୍ଗଳା ୬ ସପ୍ତାହ ମଧ୍ୟରେ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ସୁରକ୍ଷା ସମ୍ପର୍କିତ କାରଣ ଦର୍ଶାଇ ଏହି ବଙ୍ଗଳା ନଛାଡିବା ପାଇଁ ଆବେଦନ କରିଥିଲେ ସ୍ବାମୀ । ହେଲେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆସନ୍ତା ୬ ସପ୍ତାହ ବା ଦେଢ ମାସ ମଧ୍ୟରେ ଉକ୍ତ ସରକାରୀ ବଙ୍ଗଳା ସମ୍ପୃକ୍ତ ଅଧିକାରୀଙ୍କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ବାମୀ ସାଂସଦ ଥିବା ବେଳେ ଏହି ବଙ୍ଗଳା ତାଙ୍କୁ ପ୍ରଦାନ କରାଯାଇଥିଲା । ତେବେ ଚଳିତ ବର୍ଷ ତାଙ୍କର ରାଜ୍ୟସଭା ସାଂସଦ ଭାବେ କାର୍ୟ୍ୟକାଳ ଶେଷ ହୋଇଥିଲା । କାର୍ୟ୍ୟକାଳ ଶେଷ ହେବା ପରେ ମଧ୍ୟ ସେ ସୁରକ୍ଷା ସମ୍ପର୍କିତ କାରଣ ଦର୍ଶାଇ ଉକ୍ତ ବଙ୍ଗଳାରେ ରହି ଆସୁଥିଲେ । ତାଙ୍କୁ ଆଉ ଥରେ ଏହା ଆବଣ୍ଟିତ କରାଯାଉ ବୋଲି ମଧ୍ୟ ସେ ଆବେଦନ ମଧ୍ୟ କରିଥିଲେ । ହେଲେ ବୁଧବାର ଶୁଣାଣିରେ ତାଙ୍କ ଆବେଦନକୁ କୋର୍ଟ ଯଥାର୍ଥ ବୋଲି ଗ୍ରହଣ କରିନାହାନ୍ତି । ସ୍ବାମୀ ବର୍ତ୍ତମାନ ତ ବର୍ଗର ସୁରକ୍ଷା ଶ୍ରେଣୀଭୁକ୍ତ ରହିଛନ୍ତି । ତେବେ ଏହି ଶ୍ରେଣୀଭୁକ୍ତ ବ୍ୟକ୍ତିବିଶେଷଙ୍କୁ ସରକାରୀ ବଙ୍ଗଳା ପ୍ରଦାନ କରାଯିବାର କୌଣସି ପ୍ରାବଧାନ ନାହିଁ ବୋଲି କୋର୍ଟ ଦର୍ଶାଇଥିଲେ । ତେବେ ପୂର୍ବରୁ ମଧ୍ୟ ସ୍ବାମୀଙ୍କୁ ଏହି ବଙ୍ଗଳା ଛାଡିବା ପାଇଁ କୁହାଯାଇଥିଲେ ସୁଦ୍ଧା ସେ ସୁରକ୍ଷା କାରଣ ଦର୍ଶାଇ ତାଙ୍କୁ ଏହି ବଙ୍ଗଳା ପୁଣି ଥରେ ଆବଣ୍ଟିତ କରାଯାଉ ବୋଲି ଆବେଦନ କରିଥିଲେ ।ତେବେ ଏବେ କୋର୍ଟ ତାଙ୍କୁ ଆସନ୍ତା ୬ ସପ୍ତାହ ମଧ୍ୟରେ ଉକ୍ତ ବଙ୍ଗଳା ଖାଲି କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ସ୍ବାମୀଙ୍କ ଆଗାମୀ ପଦକ୍ଷେପ କ’ଣ ରହୁଛି ତାକୁ ସମସ୍ତଙ୍କ ଅପେକ୍ଷା ରହିଛି ।
Powered by Froala Editor