ଫାଇନାଲ ଯିବା ଆଶା ମଉଳିଲା : ଭାରତକୁ ୬ ୱିକେଟରେ ପରାସ୍ତ କଲା ଶ୍ରୀଲଙ୍କା
ମଙ୍ଗଳବାର ଏସିଆ କପ ସୁପର-୪ ମ୍ୟାଚରେ ଭାରତକୁ ୬ ୱିକେଟରେ ପରାସ୍ତ କରିଛି ଶ୍ରୀଲଙ୍କା । ଦ୍ବିତୀୟ ପାଳିରେ ଶ୍ରୀଲଙ୍କା ୧୭୪ ରନ୍ର ଲକ୍ଷ୍ୟକୁ ପିଛା କରି ୧୯.୫ ଓଭରରେ ୪ ୱିକେଟ ହରାଇ ୧୭୪ ରନ୍ କରି ବିଜୟ ହୋଇଛି । ଶ୍ରୀଲଙ୍କା ପକ୍ଷରୁ ନିସଙ୍କା ୩୭ ବଲରେ ୫୨ ରନ୍ କରିଥିବା ବେଳେ କୁସାଲ ମେଣ୍ଡିସ୍ ୩୭ ବଲ୍ରେ ୫୭ ରନ୍ ଓ ଦାସୁନ୍ ଶାନାକା ୧୮ ବଲରେ ୩୩ ରନ୍ କରି ଶ୍ରୀଲଙ୍କାକୁ ବିଜୟ ଦେଇଥିଲେ । ଭାରତ ଲଗାତାର ଦୁଇଟି ମ୍ୟାଚ ହାରି ଫାଇନାଲ ଯିବା ଆଶା ଭାଙ୍ଗିଯାଇଛି ।
ଆଜିର ମ୍ୟାଚରେ ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ କେଏଲ ରାହୁଲ ଏବଂ ରୋହିତ ଶର୍ମା କ୍ରୀଜକୁ ଓହ୍ଲାଇଥିଲେ । ହେଲେ ଭାରତ ଆରମ୍ଭରୁ ବିପର୍ଯ୍ୟର ସାମ୍ନା କରିଥିଲା । ମାତ୍ର ୬ ରନ୍ କରି ରାହୁଲ ପାଭେଲିଅନ ଫେରିଯାଇଥିଲେ । ତାଙ୍କ ସ୍ଥାନରେ କୋହଲି ଆସିଥିଲେ । ହେଲେ ସେ ମଧ୍ୟ ୪ଟି ବଲ୍ ଖେଳି କିଛି ରନ୍ ନକରିପାରି ଆଉଟ୍ ହୋଇଯାଇଥିଲେ । ବିରାଟଙ୍କ ଆଉଟ୍ ପରେ ସମସ୍ତେ ଆଶା ଛାଡି ଦେଇଥିଲେ । କିନ୍ତୁ ଅଧିନାୟକ ରୋହିତ ଶର୍ମା ଦଳୀୟ ସ୍ଥିତିକୁ ସମ୍ଭାଳିଥିଲେ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ତାଙ୍କୁ ସାଥ୍ ଦେଇଥିଲେ ।
ରୋହିତ ୪୧ ବଲ୍ ଖେଳି ୭୨ ରନର ଏକ ଭଲ ଇନିଂସ ଖେଳିଥିଲେ । ସେହିପରି ସୂର୍ଯ୍ୟକୁମାର ୨୯ ବଲ୍ ଖେଳି ୩୪ ରନ୍ କରିଛନ୍ତି । ଏହି ଦୁଇଜଣ ଆଉଟ୍ ହେବା ପରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଶ୍ରୀଲଙ୍କା ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ଏହା ଦଳ ପାଇଁ ଏକ ଶକ୍ତ ଧକ୍କା ସଦୃଶ ଥିଲା ।
Powered by Froala Editor