ଆଜି ଶପଥ ନେବେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ
ଲଣ୍ଡନ: ବୈଦେଶିକ ସଚିବ ଲିଜ ଟ୍ରସ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଭାରାତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ସାସଂଦ ଋଷି ସୁନକଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ହରାଇ ବ୍ରିଟେନ ପିଏମ ଗାଦି ଅକ୍ତିଆର କରିଛନ୍ତି ୪୭ ବର୍ଷୀୟ ଲିଜ ଟ୍ରସ । ସେ ତୃତୀୟ ମହିଳା ଭାବେ ବ୍ରିଟେନ ପିଏମ ଆସନ ଅଳଙ୍କୃତ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଲିଜ ଟ୍ରସ । ରାଣୀ ଏଲିଜାବେଥ ଦ୍ବିତୀୟ ତାଙ୍କୁ ଶପଥପାଠ କରାଇ ଔପଚାରିକ ଭାବେ ନାମ ଘୋଷଣା କରିବେ । ଏଥିପାଇଁ ସ୍କଟଲାଣ୍ଡରେ ସ୍ବତନ୍ତ୍ର ସମାରୋହ ଅନୁଷ୍ଠିତ ହେବ ।
ଲିଜ ଟ୍ରସ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ବୋରିସ ଜନସନଙ୍କ ସ୍ଥାନ ନେବେ । ଦେଶର ଜଣେ ଫାୟାରବ୍ରାଣ୍ଡ ନେତ୍ରୀ ଭାବେ ଲିଜ ଜଣାଶୁଣା । ୨ ମାସ ଧରି ଚାଲିଥିବା ନିର୍ବାଚନ ପ୍ରକ୍ରିୟାରେ ଋଷି ସୁନକଙ୍କ ସହ ତାଙ୍କର କଡା ମୁକାବିଲା ହୋଇଥିଲା । ବୋରିସ ଜନସନଙ୍କ ସରକାରରେ ଲିଜ ବିଦେଶ ମନ୍ତ୍ରୀ ଥିଲେ । ୧୧ମାସ ଧରି ସେ ଏହି ପଦରେ ରହିଥିଲେ । ଚୂଡାନ୍ତ ପର୍ୟ୍ୟାୟ ନିର୍ବାଚନରେ ଲିଜ ଟ୍ରସଙ୍କୁ ୮୧,୩୧୬ ଖଣ୍ଡ ଭୋଟ ମିଳିଥିଲା । ଋଷି ସୁନକଙ୍କୁ ୬୦, ୩୯୯ ଭୋଟ ମିଳିଥିଲା ।ମୋଟ ଭୋଟ ସଂଖ୍ୟା ୧,୭୧,୪୩୭ ଥିଲା ଏବଂ ଭୋଟ ହାର ୮୨.୬ ପ୍ରତିଶତ ରହିଥିଲା । ୬୫୪ ଖଣ୍ଡ ଭୋଟ ନାକଚ ହୋଇଥିଲା । ପ୍ରଥମ ୫ଟି ପର୍ୟ୍ୟାୟ ଭୋଟିଂରେ ଟ୍ରସଙ୍କୁ ପଛରେ ପକାଇଥିଲେ ଋଷି । ସୁନକ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା । ହେଲେ ଚୂଡାନ୍ତ ପର୍ୟ୍ୟାୟରେ ବାଜି ମାରି ନେଇଥିଲେ ଟ୍ରସ ।
ବିଭିନ୍ନ ସର୍ଭେ ରିପୋର୍ଟରେ ଲିଜ ବିପୁଳ ବିଜୟ ହାସଲ କରିବା ନେଇ ଆକଳନ ହୋଇଥିଲା ଯାହା ସତ ହୋଇଛି । ହେଲେ ଫଳାଫଳରୁ କିଛି ଅଲଗା ଚିତ୍ର ଆସିଛି । ୨୦୦୧ ପରେ ପ୍ରଥମ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ଲିଜଙ୍କୁ ୬୦%ରୁ କମ ଭୋଟ ମିଳିଛି । ତାଙ୍କ ପକ୍ଷରେ ୫୬% ଦଳୀୟ ସଦସ୍ୟଙ୍କ ଭୋଟ ଆସିଛି । ୨୦୧୯ ବୋରିସ ଜନସନଙ୍କୁ ୬୬.୪% ଭୋଟ ମିଳିଥିଲା । ଅନେକ ବିବାଦରେ ଫସିବା କାରଣରୁ ଚଳିତବର୍ଷ ଜୁଲାଇ ୭ରେ କଞ୍ଜରଭେଟିଭ ପାର୍ଟି ପଦରୁ ଇସ୍ତଫା ଦେଇଥିଲେ ବୋରିସ ଜନସନ । ଏହା ପରେ ଲିଜ ଟ୍ରସ ଓ ଋଷି ସୁନକଙ୍କ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଥିଲା ।
Powered by Froala Editor