ଶାସନ ଅନୁସାଶନ ଭିତରେ ଯିଏ ସ୍ନେହ ଭଲ ପାଇବା ଦିଅନ୍ତି ସେ ଗୁରୁ
ଗୁରୁଙ୍କ ବିନା ଜୀବନରେ କେହି କେବେ ସଫଳ ହୋଇନାହାନ୍ତି । ଜୀବନର ପ୍ରତି କ୍ଷଣରେ ଯାହାଙ୍କଠୁ କିଛି ଶିଖିବାକୁ ମିଳେ ସେ ଗୁରୁ ପାଲଟି ଯାଆନ୍ତି । ଜୀଇଁବାର ମାନେ ହେଉ କି ହେଉ ଜ୍ଞାନ ସବୁଠି ତିଆରି ହୁଏ ଗୁରୁ ଶିକ୍ଷ୍ୟର ସୁସମ୍ପର୍କ । ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ ଯୁଗ ଯୁଗରୁ ରହି ଆସିଛି । ଜୀବନର ପ୍ରଥମ ପଥ ପ୍ରଦର୍ଶକ ହେଉଛନ୍ତି ଗୁରୁ । ଇଶ୍ବରଙ୍କ ଅନ୍ୟ ରୂପ ଗୁରୁ । ଅଜ୍ଞାନ ଅନ୍ଧାରରୁ ଆଲୋକ ଦେଖାଉଥିବା ବ୍ୟକ୍ତିତ୍ବ ହେଲେ ଗୁରୁ । ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିକା । ଶାସନ ଅନୁସାଶନ ଭିତରେ ଯିଏ ସ୍ନେହ ଭଲ ପାଇବା ଦିଅନ୍ତି ସେ ହେଲେ ଗୁରୁ । ବାପା ମାଆଙ୍କ ପରେ ଜୀବନରେ ଯିଏ ଶିକ୍ଷା ଦିଅନ୍ତି ସେ ହେଲେ ଗୁରୁ । ଗୁରୁ ହେଉଛନ୍ତି ସ୍ବୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କର ଚଳନ୍ତି ପ୍ରତିମା । ସେଇଥି ପାଇଁ ତ କୁହନ୍ତି, 'ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ବର'।
ଆଜି ହେଉଛି ସେପ୍ଟେମ୍ବର ୫ ତାରିଖ । ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ । ସେ ରାଷ୍ଟ୍ରପତି ଥିବାବେଳେ ଜନସାଧାରଣ ତାଙ୍କ ଜନ୍ମଦିନ ପାଳନ କରିବାକୁ ଅନୁମତି ମାଗିଥିଲେ । ରାଷ୍ଟ୍ରପତି କହିଥିଲେ '' ମୋ ଜନ୍ମଦିନ ନୁହେଁ, ଦିନଟିକୁ ଗୁରୁ ଦିବସ ରୂପେ ପାଳନ କରାଯାଏ ମୁଁ ଖୁସି ହେବି ।'' ସେହି ଦିନଠୁ ସେପ୍ଟେମ୍ବର ୫କୁ ଗୁରୁଦିବସ ଭାବେ ପାଳନ କରାଯାଏ । ରାଷ୍ଟ୍ରପତି ଭାବେ ସେ ଯେତିକି ପରିଚିତ ନୁହନ୍ତି, ମହାନ ଗୁରୁ ଭାବେ ସେତିକି ପରିଚିତ ।
ରାଧାକ୍ରିଷ୍ଣନଙ୍କ ଶୈଶବ ତିରୁତନୀ ଓ ତିରୁପତିରେ କଟିଥିଲା । ତାଙ୍କର ପାଠପଢା ଖ୍ରୀଷ୍ଟିଆନ୍ ମିସନାରୀ ସ୍କୁଲରୁ ଆରମ୍ଭ ହୋଇଥିଲା ଏହାପରେ ୧୯୦୯ରେ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ରାଧାକ୍ରିଷ୍ଣନଙ୍କୁ ନିଯୁକ୍ତି ମିଳିଥିଲା । ୧୯୧୮ରେ ରାଧାକ୍ରିଷ୍ଣନ ମହୀଶୂର ବିଶ୍ବବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ତା’ ପରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ, କଲିକତା ବିଶ୍ବବିଦ୍ୟାଳୟ, ଲଣ୍ଡନର ହାର୍ଭାଡ୍ ବିଶ୍ବବିଦ୍ୟାଳୟ ଓ ମାଞ୍ଚେଷ୍ଟର ବିଶ୍ବବିଦ୍ୟାଳୟ ଅଧ୍ୟାପନା କରିଥିଲେ । ଏହାପର ଠାରୁ ସେ ନିଜକୁ ଭାରତୀୟ ଦର୍ଶନ ଶାସ୍ତ୍ର ଓ ଧର୍ମଶାସ୍ତ୍ର ଅଧ୍ୟୟନରେ ନିୟୋଜିତ ରଖିଥିଲେ ।'ଶ୍ରୀମଦ ଭଗବତଗୀତା’କୁ ଇଂରାଜୀରେ ଅନୁବାଦ କରିଥିଲେ ରାଧାକ୍ରିଷ୍ଣନ । ୧୯୪୯ରେ ସୋଭିଏତ ରଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ପ୍ରଦାନ କରାଯାଇଥିଲା ସମ୍ମାନଜନକ ଭାରତ ରତ୍ନ । ଆଜି ସେହି ମହାନ ଜନନାୟକଙ୍କ ଉଦ୍ଦେଶ୍ୟରେ ସମଗ୍ର ଦେଶବାସୀ ପାଳୁଛନ୍ତି ପବିତ୍ର ‘ଗୁରୁ ଦିବସ’ ।
ମଣିଷ ଜୀବନକାଳରେ ପ୍ରତ୍ୟେକ ଲୋକଙ୍କ ଠାରୁ କିଛି ନା କିଛି ଶିଖିଥାଏ । ସେ ବୟସରେ ସାନ ହୋଇ ଥାଉ କିମ୍ବା ବଡ । ବଡଙ୍କ ଠାରୁ ଆମେ ଯେତିକି ଶିଖିଥାଉ, ସାନଙ୍କ ଠାରୁ ମଧ୍ୟ ସେତିକି ଶିଖିଥାଉ । ଯଦି ଆମେ କାହାଠୁ କିଛି ଶୁଖୁଛେ, ତେବେ ତାକୁ ଗୁରୁ ପଦବାଚ୍ୟ କରିବା ଉଚିତ୍ । ବିନା ଗୁରୁରେ କେହି କେବେ ସଫଳତାର ଶୀର୍ଷରେ ପହଞ୍ଚି ପାରିନଥାଏ । ଗୁରୁଙ୍କ ଆକଟ ବେତ ପାହାର ଜୀବନରେ କିଛି କରିବାକୁ ଶକ୍ତି ଦିଏ । ଯିଏ ଆପଣଙ୍କୁ ଶିକ୍ଷା ସହିତ ମାନବିକତାର ପାଠ ମଧ୍ୟ ପଢାଇ ପାରିବେ ସେ ଗୁରୁ ।
Powered by Froala Editor