କିଏ ଥିଲେ ଅଭିଜିତ ସେନ୍, ଜାଣନ୍ତୁ ତାଙ୍କ ବିଷୟରେ...

ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ଅଭିଜିତ୍ ସେନଙ୍କ ପରଲୋକ ଘଟିଛି। ସୋମବାର ରାତିରେ ୭୨ ବର୍ଷ ବୟସରେ ନୂଆଦିଲ୍ଲୀରେ ଅଭିଜିତ ସେନ ମୃତ୍ୟୁବରଣ କରିଛନ୍ତି। ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟ ଘଟିଛି। ଅଭିଜିତଙ୍କ ଭାଇ ଡ. ପ୍ରଣବ ସେନ୍ ଏନେଇ ସୂଚନା ଦେଇ କହିଛନ୍ତି, ‘‘ସେ(ଅଭିଜିତ୍ ସେନ୍) ରାତି ପ୍ରାୟ ୧୧ଟା ସମୟରେ ହୃଦଘାତର ଶିକାର ହୋଇଥିଲେ। ଆମେ ତାଙ୍କୁ ଡାକ୍ତରଖାନା ନେଇଥିଲୁ, କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ସବୁକିଛି ସରିଯାଇଥିଲା।’’
ନୂଆଦିଲ୍ଲୀରେ ଏକ ବଙ୍ଗୀୟ ପରିବାରରେ ଜନ୍ମିତ ସେନ୍ ସର୍ଦାର୍ ପଟେଲ୍ ବିଦ୍ୟାଳୟରୁ ସ୍କୁଲ୍ ଶିକ୍ଷା ଶେଷ କରିବା ପରେ ପଦାର୍ଥ ବିଜ୍ଞାନ ସମ୍ମାନରେ ଡିଗ୍ରି ହାସଲ କରିବା ଲାଗି ସେଣ୍ଟ୍ ଷ୍ଟିଫେନ୍ କଲେଜରେ ପଢ଼ିଥିଲେ। ଏହା ପରେ ୧୯୮୧ରେ ସେ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ପି.ଏଚ୍ଡି. ସମାପ୍ତ କରିବା ସହ ସେଠାକାର ଟ୍ରିନିଟି ହଲ୍ର ସଦସ୍ୟ ହୋଇଥିଲେ।
୪ ଦଶନ୍ଧିରୁ ଅଧିକ କାଳ କ୍ୟାରିୟର୍ରେ ଅଭିଜିତ ନୂଆଦିଲ୍ଲୀର ଜବାହର୍ଲାଲ୍ ନେହେରୁ ବିଶ୍ବବିଦ୍ୟାଳୟର ‘ସେଣ୍ଟର୍ ଫର୍ ଇକୋନୋମିକ୍ ଷ୍ଟଡିଜ୍ ଆଣ୍ଡ୍ ପ୍ଲାନିଙ୍ଗ୍’ ରେ ଅର୍ଥନୀତି ଅଧ୍ୟାପନା କରୁଥିଲେ। ‘କମିସନ୍ ଅଫ୍ ଏଗ୍ରିକଲ୍ଚୁରାଲ୍ କଷ୍ଟ୍ ଆଣ୍ଡ୍ ପ୍ରାଇସ୍’ ସମତେ ସେ କେତେଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ସରକାରୀ ପଦବୀରେ ରହିଥିଲେ।
ଅଭିଜିତ୍ ସେନ୍ ପ୍ରଥମ ଅଟ୍ଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ କୃଷି ବ୍ୟୟ ଏବଂ ମୂଲ୍ୟ ନିର୍ଦ୍ଧାରଣ ଆୟୋଗ(ସଏସିପି)ର ଅଧ୍ୟକ୍ଷ ଥିଲେ। ଜୁଲାଇ ୨୦୦୦ରେ ଉପସ୍ଥାପିତ ହୋଇଥିବା ଦୀର୍ଘକାଳିନ ଖାଦ୍ୟ ନୀତି ଉପରେ ସେ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ ଲେଖିଥିଲେ।
ଅଭିଜିତ୍ ସେନଙ୍କ ନୀତି ୟୁପିଏ ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ୨୦୧୩ ରେ ଅନ୍ତର୍ଭୁକ୍ତ କରାଯାଇଥିଲା, ଯାହା ବର୍ତ୍ତମାନ ଏକ ତୃତୀୟାଂଶରୁ ଅଧିକ ଲୋକଙ୍କୁ ସମାନ ଭାବରେ କିଲୋ ପ୍ରତି ୨ ଟଙ୍କାରେ ଗହମ ଏବଂ ଚାଉଳ କିଲୋ ପିଛା ୩ ଟଙ୍କାରେ ପ୍ରଦାନ କରୁଛି।
ତାଙ୍କର ପତ୍ନୀ ଜୟତି ଘୋଷ ଏବଂ କନ୍ୟା ଜାହ୍ନବୀ ଅଛନ୍ତି। ଜନ ସେବା ପାଇଁ ୨୦୧୦ରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ମୃତ୍ୟୁ ଯୋଗୁଁ କେତେକ ରାଜନେତା ଓ ଶିକ୍ଷାବିତ୍ ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
Powered by Froala Editor