୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ନବୀନ
ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖରୁ ଡିସେମ୍ବର ୪ ତାରିଖ ପର୍ୟ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ମେକ ଇନ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି । ଏହି କନକ୍ଲେଭକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି । ଏହି କ୍ରମରେ ଆସନ୍ତା ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରଥମ ଦିନରେ ସେଠାରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ଆଣ୍ଡ ଆମ୍ବାସାଡର ମିଟରେ ଯୋଗଦେବେ ବୋଲି ସୂଚନା ।
ଆମେରିକା, ୟୁଏଇ, କତାର, ଓମାନ, ବାହାରିନ୍, ସାଉଦି ଆରବ, ୟୁକେ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଇକ୍ସେମବର୍ଗ, ବେଲଜିୟମ, ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆ ଭଳି ଦେଶ ପ୍ରତିନିଧମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରତିନିଧିଗଣ ସିଧାସଳଖ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଏହି କାର୍ୟ୍ୟକ୍ରମରେ ଉପରୋକ୍ତ ଦେଶଗୁଡ଼ିକର ଶିଳ୍ପପତିଙ୍କୁ ଆଗାମୀ ମେକ୍ ଇନ ଓଡ଼ିଶା କନକ୍ଲେଭରେ ଅଂଶଗ୍ରହଣ କକରିବାକୁ ଆମନ୍ତ୍ରଣ କରାଯିବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇରେ ମଧ୍ୟ ଇନଭେଷ୍ଟର୍ସ ମିଟରେ ଯୋଗ ଦେଇଥିଲେ । ସେହି କାର୍ୟ୍ୟକ୍ରମରେ ରାଜ୍ୟରେ ୨୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ନେଇ ବାଟ ଫିଟିଥିଲା । ସେପ୍ଟେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ୟ୍ୟକ୍ରମ ରହିଛି ।
Powered by Froala Editor