ଆଜି କଂଗ୍ରେସ କାର୍ୟ୍ୟକାରିଣୀ କମିଟି ବୈଠକ, ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ତାରିଖ ଉପରେ ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ବସିବ କଂଗ୍ରେସ କାର୍ୟ୍ୟକାରିଣୀ କମିଟି ବୈଠକ । ବୈଠକରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ତାରିଖ ଉପରେ ନିଷ୍ପତ୍ତି ନିଆଯିବ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଭର୍ଚୁଆଲରେ ଯୋଗେ ଦେଇ ଅଧ୍ୟକ୍ଷତା କରିବେ । କାରଣ ସୋନିଆ ମେଡିକାଲ୍ ଚେକ୍ ଅପ୍ ପାଇଁ ଏବେ ବିଦେଶରେ ଅଛନ୍ତି । ଉଭୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ତାଙ୍କ ସହ ଯାଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ତାରିଖ ଚର୍ଚ୍ଚା କରିବାକୁ ଏହି ଉ ବୈଠକ ଡକାଯାଇଛି । ଏଥିରେ ନୂଆ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆଜି ତାରିଖ ଘୋଷଣା କରାଯାଇପାରେ ।
କଂଗ୍ରେସ ସାଧାରଣ ସଚିବ କେସି ବେଣୁଗୋପାଳ ଟ୍ବିଟ୍ କରି କହିଛନ୍ତି ଯେ, ''ରବିବାର ଅପରାହ୍ନ ସାଢେ ୩ଟା ସମୟରେ ବୈଠକ ଭର୍ଚୁଆଲ ଭାବେ ଅନୁଷ୍ଠିତ ହେବ । ଏଥିରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ । ସୋନିଆ ଗାନ୍ଧୀ ଭର୍ଚୁଆଲ ଯୋଗେ ବୈଠକରେ ଅଧ୍ୟକ୍ଷତା କରିବେ ।'' ତେବେ କଂଗ୍ରେସର ପୁରୁଖା ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ଦୃଷ୍ଟିରୁ ମଧ୍ୟ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । ଆଜାଦ କାର୍ୟ୍ୟକାରିଣୀ କମିଟି ର ଜଣେ ସଦସ୍ୟ ଥିଲେ । ଆଜାଦଙ୍କ ଇସ୍ତାଫା ପରେ ତାଙ୍କୁ ଗତକାଲି ଦିଲ୍ଲୀରେ ଭେଟିଥିବା ଆନନ୍ଦ ଶର୍ମା ମଧ୍ୟ ଏହାର ସଦସ୍ୟ ଅଟନ୍ତି । କଂଗ୍ରେସର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷ ନିର୍ବାଚନ ସମେତ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବାର ସୂଚନା ରହିଛି । ପୂର୍ବରୁ ଅଗଷ୍ଟ ୨୧ରୁ ୨୮ ତାରିଖ ମଧ୍ୟରେ କଂଗ୍ରେସର ନୂତନ ଅଧ୍ୟକ୍ଷ ପାଇଁ ନିର୍ବାଚନ କରାଯିବ ବୋଲି କୁହାଯାଇଥିଲା ।
Powered by Froala Editor