ସୁପ୍ରିମକୋର୍ଟ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ କରୋନା ଆକ୍ରାନ୍ତ

ଟିକାକରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଶୁଣାଣି କରୁଥିବା ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ତାଙ୍କ ସହ ସୁପ୍ରିମକୋର୍ଟର ଜଣେ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଜଷ୍ଟିସ ଚନ୍ଦ୍ରଚୂଡ଼ ସୁସ୍ଥ ଅଛନ୍ତି। କିନ୍ତୁ ଏବେ ସେ ନେତୃତ୍ୱ ନେଉଥିବା ଖଣ୍ଡପୀଠର ଶୁଣାଣି କିଛି ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଦେଶରେ ସୃଷ୍ଟି ହୋଇଥିବା କରୋନା ସମସ୍ୟାର ଶୁଣାଣି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କରୁଥିଲେ। ଆସନ୍ତାକାଲି ଏହାର ଶୁଣାଣି ହେବାର ଥିଲା। ହେଲେ ଆଜି ଜଷ୍ଟିସ ଚନ୍ଦ୍ରଚୂଡ଼ କରୋନାରେ ସଂକ୍ରମିତ ହୋଇଥିବାରୁ ଆସନ୍ତାକାଲିର ଶୁଣାଣିକୁ ପରବର୍ତ୍ତୀ ତାରିଖକୁ ଘୁଞ୍ଚାଇ ଦିଆଯିବ।
ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟରେ ଏବେ ନିୟମିତ ଶୁଣାଣି ଚାଲିଛି। କରୋନା ଦ୍ୱିତୀୟ ଲହରରେ କେନ୍ଦ୍ର ସରକାରଙ୍କ ନୀତି ଓ ପ୍ରସ୍ତୁତିର ଚନ୍ଦ୍ରଚୂଡ ନିୟମିତ ଶୁଣାଣି କରୁଥିବା ବେଳେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କର କରୋନା ପରୀକ୍ଷଣ ହୋଇଥିବା ବେଳେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏହା ପୂର୍ବରୁ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ଗତ ଶନିବାର ୧୨ କରୋନା ଲାଗି ସଦସୀୟ ନ୍ୟାସନାଲ ଟାସ୍କଫୋର୍ସ ଗଠନ କରିଛନ୍ତି। ଏହି ଟାସ୍କ ଫୋର୍ସ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କର ମେଡିକାଲ ଅକ୍ସିଜେନ ଓ ଅନ୍ୟ ଜରୁରି ଔଷଧର ଆକଳନ କରିବା ସହ ସେସବୁର ଯୋଗାଣ ସୁପାରିସ କରିବେ। କେବଳ ଏତିକି ନୁହେଁ ଏହି ଟାସ୍କ ଫୋର୍ସ କରୋନା ଆହ୍ୱାନର ମୁକାବିଲା ଲାଗି ଇନପୁଟ୍ ଓ ରଣନୀତି ମଧ୍ୟ ପରାମର୍ଶ ଦେବେ।
Powered by Froala Editor