ଏବର୍ଷ ଧୁମଧାମରେ ହେବ ଗଣେଶ ପୂଜା
ଭୁବନେଶ୍ବର: ଦୁଇ ବର୍ଷର କୋରୋନା କଟକଣା ପରେ ରାଜଧାନୀରେ ଧୁମଧାମରେ ଗଣେଶ ପୂଜା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ ପୂଜା କମିଟି । ମଣ୍ଡପ ଗୁଡ଼ିକରେ ଭକ୍ତମାନେ ସିଧାସଳଖ ଯାଇ ଠାକୁରଙ୍କୁ କରିପାରିବେ ଦର୍ଶନ । ମୂର୍ତ୍ତି ଓ ପୂଜା ବ୍ୟବହୃତ ସାମଗ୍ରୀ ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ୪ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । ତେବେ ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବା ସହ ବିଭିନ୍ନ କୋଭିଡ ଗାଇଡଲାଇନ ମାନିବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏବଂ ମେୟର ସୁଲୋଚନା ଦାସ ।
ଆସନ୍ତା ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ହେବ ଗଣେଶ ପୂଜା । କୋରୋନା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ଏହି ପୂଜା ଅନୁଷ୍ଠିତ ହେବ । ଏନେଇ ତତ୍ପର ହୋଇ ଉଠିଛନ୍ତି ବିଭିନ୍ନ ପୂଜା କମିଟି । ଚଳିତ ବର୍ଷ ରାଜଧାନୀରେ ପ୍ରାୟ ୫୦ରୁ ଅଧିକ ମଣ୍ଡପରେ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ୩ ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । ପୂଜାରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ପୋଖରୀରେ ପକାଇ ପରିବେଶ ଓ ଜଳ ପ୍ରଦୂଷଣକୁ ରୋକିବା ପାଇଁ ସମସ୍ତ ପୂଜା କମିଟିକୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର ।ତେବେ କୋଭିଡ କଟକଣା ହଟିଥିଲେ ମଧ୍ୟ ସଂକ୍ରମଣ ଭୟ ଟଳି ନଥିବାରୁ ବିଏମସି ପକ୍ଷରୁ କେତେକ ଗାଇଡଲାଇନ ଜାରି କରାଯାଇଛି । ପୂଜା ସମୟରେ ଭକ୍ତ ଓ କମିଟି ସଦସ୍ୟମାନଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର । ଏନେଇ କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, "ସମସ୍ତେ ପୂଜା ମଣ୍ଡପକୁ ଯିିବା ବେଳେ ସାଙ୍ଗରେ ମାସ୍କ ନେଇ ଯିବାକୁ ଅନୁରୋଧ । ପୂଜା କମିଟି ମାନେ ମଣ୍ଡପ ନିକଟରେ ସାନିଟାଇଜରର ବ୍ୟବସ୍ଥା କରନ୍ତୁ । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଡଷ୍ଟବିନର ବ୍ୟବହାର କରନ୍ତୁ । ପୂଜା ସରିବା ପରେ ସେଥିରେ ବ୍ୟବହୃତ ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ପୋଖରୀରେ ହିଁ ପକାନ୍ତୁ ।" ତେବେ ସରକାରଙ୍କ ତରଫରୁ କୌଣସି ନିୟମ ବାଧ୍ୟତାମୂଳକ ହୋଇ ନଥିଲେ ମଧ୍ୟ ସମସ୍ତେ ନିଜର ଦାୟୀତ୍ବବୋଧ ଅନୁସାରେ ସଜାଗ ରହିବାକୁ ଅନୁରୋଧ କରିଛନ୍ତି କମିଶନର ।
Powered by Froala Editor