କରୋନାରେ ମଲେଣି ୧୦ ମାଓବାଦୀ, ଶତାଧିକ ସଂକ୍ରମିତ
ସୀମାନ୍ତ ଛତିଶଗଡ଼ରେ ୧୦ ଜଣ ମାଓବାଦୀ କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ମାଲକାନଗିରିରେ ମଧ୍ୟ ବହୁ ମାଓବାଦୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ମାଲକାନଗିରି ଏସ୍ପି ଋଷିକେଶ ଖିଲାରି କହିଛନ୍ତି, ସ୍ବଇଚ୍ଛାରେ ଆସିଲେ ସେମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯିବ। ସେମାନଙ୍କ ନାମରେ କୌଣସି ମାମଲା ରୁଜୁ କରାଯିବ ନାହିଁ କିମ୍ବା ଜେଲ୍ରେ ଭର୍ତ୍ତି କରାଯିବନାହିଁ ବୋଲି ଶ୍ରୀ ଖିଲାରି କହିଛନ୍ତି।
ସୀମାନ୍ତ ଛତିଶଗଡ଼ରେ ବହୁ ନକ୍ସଲ କରୋନାରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ନେଇ ଗତ ଦୁଇଦିନ ତଳେ ଦନ୍ତେଵାଡା ଏସ୍ପି ଅଭିଷେକ ପଲ୍ଲବ ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ, ବହୁ କ୍ୟାଡର ସମେତ ୧୦୦ରୁ ଊର୍ଦ୍ଧ୍ବ ନକ୍ସଲ କରୋନାରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି। ଆଜି ଛତିଶଗଡରେ ଏକ ମାଓ କ୍ୟାମ୍ପ ଉପରେ ଚଢଉ ବେଳେ ସେଠାରେ ମିଳିଥିବା କିଛି ନଥିପତ୍ରରୁ ନକ୍ସଲଙ୍କୁ କରୋନା ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି। ୧୦ ଜଣ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ମଧ୍ୟ ସୂଚନା ମିଳିଛି। ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ସୀମାନ୍ତ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡରେ ଚଳପ୍ରଚଳ କରୁଥିବା ନକ୍ସଲମାନଙ୍କୁ ଆନ୍ଧ୍ର ଷ୍ଟ୍ରେନ୍ ସଂକ୍ରମିତ କରିଥିବା ଜଣାପଡିଛି।ଏଥିରେ ପିଏଲ୍ଜିଏ, ସିଆର୍ସିର ସଦସ୍ୟ ଅଛନ୍ତି।
Powered by Froala Editor