ମହାନଦୀ ମଝିରେ ବନ୍ୟା ପାଣିରେ ଫସିଛନ୍ତି ବାପପୁଅ
ଆଠଗଡ଼: ମହାନଦୀ ଏବେ ଉଛୁଳିଥିବା ବେଳେ ନଦୀ ମଝିରେ ବନ୍ୟା ପାଣିରେ ଫସି ରହିଛନ୍ତି ବାପପୁଅ । ଆଠଗଡ଼ କନ୍ଦରପୁରର ଅମଙ୍ଗେଇ କୁଦରେ ପ୍ରାୟ ୫ ଦିନ ହେବ ଉଭୟ ବାପପୁଅ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଓଡ୍ରାଫ ଟିମ୍ ଉଭୟ ବାପପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଅମଙ୍ଗେଇ କୁଦ ଅଭିମୁଖେ ଯାଇଛି।
କନ୍ଦରପୁରର ବାପପୁଅ ପ୍ରାୟ ୫ ଦିନ ତଳୁ ଛେଳି ଚରାଇବାକୁ ଅମଙ୍ଗେଇ କୁଦକୁ ଯାଇଥିଲେ । ହଠାତ୍ ବନ୍ୟାପାଣି ଆସିଯିବାରୁ ଉଭୟ କୁଦରେ ଫସି ରହିଛନ୍ତି । ସେମାନଙ୍କ ନିକଟରେ ଖାଦ୍ୟ ପଦାର୍ଥ ନ ଥିବା ବେଳେ ମୋବାଇଲ ବି ସୁଇଚ ଅଫ୍ ହୋଇଯାଇଛି। ଫଳରେ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନି। ଅପରପକ୍ଷେ, ବାପପୁଅ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ଆଶାଆଶଙ୍କାରେ ଦିନ କାଟୁଛନ୍ତି।
ଏନେଇ ଗ୍ରାମବାସୀ ପ୍ରଥମେ ଆଠଗଡ଼ ଉପଜିଲ୍ଲାପାଳ ଓ କଟକ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି। ଏହାପରେ ଗତକାଲି ରାତିରେ ଏକ ଓଡ୍ରାଫ୍ ଟିମ୍ କନ୍ଦରପୁରରେ ପହଞ୍ଚିଥିବା ବେଳେ ଆଜି ଉଭୟଙ୍କୁ ଉଦ୍ଧାର ପାଇଁ ଅପରେସନ ଆରମ୍ଭ ହେବ ବୋଲି ଜଣାଯାଇଛି। ଘଟଣାସ୍ଥଳରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ପହଞ୍ଚିଛନ୍ତି। ଉଭୟଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଯଥାସାଧ୍ୟ ଚେଷ୍ଟା କରାଯାଉଥିବା ସେ କହିଛନ୍ତି।
Powered by Froala Editor