ବିପଦ ସଙ୍କେତ ଟପିଲା ଦୟା ନଦୀର ଜଳସ୍ତର, ରାସ୍ତା ଉପରେ ୩ଫୁଟର ପାଣି
ଭୁବନେଶ୍ୱର: ବିପଦ ସଙ୍କେତ ଟପିଲା ଦୟା ନଦୀର ଜଳସ୍ତର । ପିପିଲି-ଜଟଣୀ ମୁଖ୍ୟ ରାସ୍ତା ବିଚ୍ଛିନ୍ନ ହୋଇଛି । ରାସ୍ତା ଉପରେ ୩ଫୁଟର ପାଣି ଚାଲୁଥିବାର ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା କଣାସରେ ପଶିଛି ଦୟା ନଦୀର ବନ୍ୟାପାଣି । କଣାସ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡିଥିବା ବେଳେ ଗାଁ ଦାଣ୍ଡରେ ଅଣ୍ଟାଏ ଅଣ୍ଟାଏ ପାଣି ରହିଛି । ରାତିରେ ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକେ ବହୁ ଅସୁବିଧାରେ ଅଛନ୍ତି ।
କିଛି ଲୋକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଧରି ଘର ଛାଡିଛନ୍ତି । କେତକ ସ୍ଥାନରେ ରାସ୍ତାରେ ଘାଇ ହୋଇଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ବାଲିବସ୍ତା, ନଡିଆ ଓ ତାଳଗଛ ପକାଇ ଗଳିଆ ବନ୍ଦ କରିବାକୁ ପୟାସ କରାଯାଇଛି । କଣାସର ୬ଟି ଗାଁରେ ପାଣି ପଶିଛି । କଣାସ-ଜଙ୍କିଆ ମଧ୍ୟରେ ଯୋଗାଯୋଗ ସମ୍ପର୍ଣ୍ଣ ବିଚ୍ଛିନ୍ନ ହୋଇଛି । ପାଣି ଘରରେ ୬ଟି ପଞ୍ଚାୟତର ହଜାର ହଜାର ଏକର ଚାଷ ଜମି ବୁଡି ରହିଛି ।
ଅନ୍ୟପକ୍ଷରେ ପ୍ରଶାସନର ନିଦ ହଜାଇଲାଣି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଲଘୁଚାପଜନିତ ଲଗାଣ ବର୍ଷା ହେତୁ ହୀରାକୁଦର ଜଳସ୍ତର ବଢ଼ି ଚାଲିଥିବା ବେଳେ ମହାନଦୀ ବି ଫୁଲୁଛି। ମହାନଦୀରେ ବନ୍ୟା ଆସିବା ଫଳରେ କଟକ ବାଙ୍କୀ ଅଞ୍ଚଳ ପ୍ରଭାବିତ ହୋଇଛି । ଏହାବାଦ କୁଜଙ୍ଗ ଜୟଶଙ୍ଖପୁରଠାରେ ମହାନଦୀରେ ୭୦ ଫୁଟର ଘାଇ ସୃଷ୍ଟି ହୋଇଛି।
ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ୍ ଟପିଛି । ଜଳସ୍ତର ସକାଳେ ୬୨୫.୦୪ ଫୁଟ୍ ରହିଛି। ହୀରାକୁଦ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪ ଲକ୍ଷ ୩୪ ହଜାର ୮ କ୍ୟୁସେକ୍ ଜଳ । ଗତକାଲି ହୀରାକୁଦର ୩୪ ଗେଟ୍ ଖୋଲାଥିବା ବେଳେ ତଳ ମୁଣ୍ଡରେ ବନ୍ୟା ନିୟନ୍ତ୍ରଣ ପାଇଁ ୮ଟି ଗେଟ୍ ବନ୍ଦ କରାଯାଇଥିଲା। ତେଣୁ ବର୍ତ୍ତମାନ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।
Powered by Froala Editor