ବଢୁଛି ହୀରାକୁଦ ଜଳସ୍ତର,ଫୁଲୁଛି ମହାନଦୀ
କଟକ: ବଢୁଛି ହୀରାକୁଦ ଜଳସ୍ତର। ଫୁଲୁଛି ମହାନଦୀ । ହୀରାକୁଦ ଡ୍ୟାମ୍ ରୁ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ଜାରି ରହିଛି । ବାଙ୍କୀ, ଆଠଗଡର ଅନେକ ଅଞ୍ଚଳ ଏବେ ଜଳମଗ୍ନ ହୋଇଛି। ଏବେ ହୀରାକୁଦର ୨୬ଟି ଗେଟ୍ ଖୋଲା ଯାଇଥିବା ବେଳେ ଜଳସ୍ତର ୬୨୫.୦୪ଫୁଟ ରହିଛି। ଏବେ ହୀରୀକୁଦ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୭ ଲକ୍ଷ ୮୫ ହଜାର ୨୯୧ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ୪ଲକ୍ଷ ୩୪ ହଜାର ୦୦୮ ଘନ ଫୁଟ ଜଳ ନିଷ୍କାସିତ ହେଉଛି । ମୁଣ୍ଡଳିରେ ୧୧ରୁ ଅଧିକ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।
ସେହିଭଳି ନରାଜର ଉପର ମୁଣ୍ଡରେ ଜଳସ୍ତର ୨୬. ୩୦ ମିଟର ଥିବା ବେଳେ ତଳ ମୁଣ୍ଡର ଜଳସ୍ତର ୨୪.୭୦୦ମିଟର ରହିଛି। ସେପଟେ କଟକ ମୁଣ୍ଡଳୀ ନିକଟରେ ମହାନଦୀରେ ସକାଳ ୬ଟା ସୁଦ୍ଧା ୧୧ ଲକ୍ଷ ୩୬ ହଜାର ୯୩୦ ଘନ ଫୁଟ ଜଳ ପ୍ରବାହିତ ହେଉଛି। ମୁଣ୍ଡଳୀର ଉପର ମୁଣ୍ଡରେ ଜଳସ୍ତର ୯୭.୦୦ଫୁଟ ଥିବା ବେଳେ ତଳ ମୁଣ୍ଡର ଜଳ ସ୍ତର ୯୪. ୬୦ ଫୁଟ ରହିଛି। ମୁଣ୍ଡଳୀଠାରେ ମହାନଦୀର ବିପଦ ସଙ୍କେତ ହେଉଛି ୯୭.୫୦। ମୁଣ୍ଡଳୀ ନିକଟରେ ୧୧ଲକ୍ଷ ଘନ ଫୁଟରୁ ଅଧିକ ଵନ୍ୟାଜଳ ପ୍ରଵାହିତ ହେଵାରୁ କଟକ ଜିଲ୍ଲାରେ ଵ୍ୟାପକ ପ୍ରଭାବ ଦେଖିଵାକୁ ମିଳିଛି। ଏହା ଫଳରେ ଜିଲ୍ଲାର ୩୯ଟି ଗ୍ରାମପଞ୍ଚାୟତ ଓ ୧୬୭ଟି ଗାଁ ସମ୍ପୂର୍ଣ୍ଣ ଭାଵେ ପ୍ରଭାବିତ ହୋଇଛି। ଚଳିତ ଵନ୍ୟାରେ ଜିଲ୍ଲାରେ ମୋଟ ୪୭ହଜାର ୫ଶହ ୫୧ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାର ୩୮ଟି ଗାଁ ଜଳଵନ୍ଦୀ ଅଵସ୍ଥାରେ ରହିଛି। ମୋଟ ୧୦ ହଜାର ୨ଶହ ୯୬ ଜଣ ଲୋକ ଜଳଵନ୍ଦୀ ଅଵସ୍ଥାରେ ଅଛନ୍ତି। ଵନ୍ୟା ଫଳରେ ଜିଲ୍ଲାରେ ୧୭୧ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।
Powered by Froala Editor