ରାକ୍ଷୀ ବାନ୍ଧିବାକୁ ଭଉଣୀ ଘରକୁ ଯାଉଥିଲେ, ଜୀବନ ନେଇଗଲା ମାଞ୍ଜା ସୂତା
ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଚାଇନା ଗୁଡି ସୂତାରେ କଟିଯାଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବିପିନ କୁମାର । ସୂଚନାଯୋଗ୍ୟ, ଗୁରୁବାର ସେ ତାଙ୍କ ସ୍ତ୍ରୀ, ଝିଅ ସହ ବାଇକରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଲୋନିରେ ରହୁଥିବା ତାଙ୍କ ଭଉଣୀଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ବିପିନ୍ କୁମାର ବାଇକରେ ଯାଉଥିଲେ। ସାଙ୍ଗରେ ଝିଅ ଓ ପତ୍ନୀ ବସିଥିଲେ। ଶାସ୍ତ୍ରୀ ପାର୍କ ଅଞ୍ଚଳ ଦେଇ ଯିବାବେଳେ ତାଙ୍କ ବେକରେ ଏକ ଗୁଡ଼ି ସୂତା ଲାଗି ତାଙ୍କ ବେକ କଟିଯାଥିଲା। ଘଟଣାସ୍ଥଧଳରେ ତାଙ୍କର ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ଯେତେବେଳେ ସୂତାଟିକୁ କାଢ଼ିବା ପାଇଁ ବିପିନ ଉଦ୍ୟମ କରିଥିଲେ ତାଙ୍କ ହାତ କଟିଯାଇଥିଲା। ଏହା ପରେ ସେ ବାଇକଟିକୁ ଅଟକାଇଥିଲେ। ପଛରେ ବସିଥିବା ସ୍ତ୍ରୀ ଓ ଝିଅ ଓହ୍ଲାଇଥିଲେ। ଏହା ପରେ ବିପିନ ତଳେ ପଡ଼ିଯାଥିଲେ।
ଅନ୍ୟ ଯାତ୍ରୀଙ୍କ ସହାୟତରେ ତାଙ୍କ ପତ୍ନୀ ବିପିନଙ୍କୁ ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ବିପିନ ଜଣେ ପାଉଁରୁଟି ବ୍ୟବସାୟୀ ଥିଲେ। ଦିଲ୍ଲୀର ପାର୍କ ନାଙ୍ଗ୍ଲୋଇ ଇଲାକାରେ ବିପିନ ତାଙ୍କ ପରିବାର ସହ ରୁହନ୍ତି।
Powered by Froala Editor