ସ୍ୱାଭାବିକ ହେଲା ବାବା ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର: ଆଜି ସକାଳୁ ସ୍ୱାଭାବିକ ହୋଇଛି ହେଲା ବାବା ଲିଙ୍ଗରାଜଙ୍କ ନୀତିକାନ୍ତି । ପଇତା ଲାଗି ନୀତିକୁ ନେଇ ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ମହାପ୍ରଭୁ ଗତ ମଙ୍ଗଳବାର ସନ୍ଧ୍ୟା ପରଠୁ ଉପବାସ ରହିଥିଲେ । ଗତକାଲି ଦିନତମାମ ପ୍ରଭୁ ଭୋକରେ ଥିବା ସତ୍ତ୍ୱେ ଏହି ବିବାଦର ସମାଧାନ ହୋଇପାରି ନ ଥିଲା। ଆଜି ବି ସମାଧାନର ସୂତ୍ର ବାହାରି ନ ଥିବା ବେଳେ ମଙ୍ଗଳ ଆଳତୀ ପରେ ବାବାଙ୍କ ନୀତି ଆରମ୍ଭ ହୋଇଛି।
ଦୁଇ ଦିନ ତଳେ ପଇତାଲାଗି ନୀତିକୁ ନେଇ ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ପଇତାଲାଗି ପାଇଁ ଉଭୟ ନିଯୋଗ ଅଡ଼ି ବସିଥିବା ଯୋଗୁଁ ଏହି ମତାନ୍ତର ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଦେଖାଦେଇଥିବା ବିବାଦ ଏତେ ତୀବ୍ର ହୋଇଥିଲା ଯେ, ଗତକାଲି ବାବାଙ୍କ ଚତୁର୍ଦ୍ଦଶୀ ତିଥିରେ ମହାଦୀପ ମଧ୍ୟ ଉଠି ପାରିନଥିଲା । ମହାଦୀପ ନ ଉଠିବା ଯୋଗୁଁ ବର୍ଷ ବର୍ଷର ପରମ୍ପରା ବି ଭାଙ୍ଗିଥିଲା । କାଲି ମହାପ୍ରଭୁଙ୍କର କୌଣସି ନୀତିକାନ୍ତି ମଧ୍ୟ ହୋଇପାରିନଥିଲା । ବିବାଦର ୨ ଦିନ ପରେ ବି ଏହାର ସମାଧାନର ବାଟ ବାହାରିପାରୁନି।ପ୍ରଶାସିକ ସ୍ତରରେ ଏହି ବିବାଦର ସମାଧାନ ପାଇଁ ତତ୍ପରତା ପ୍ରକାଶ କରିବାକୁ ଶ୍ରଦ୍ଧାଳୁମାନେ ଅନୁରୋଧ କରିଛନ୍ତି।
Powered by Froala Editor