ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଜାରି : ବିଦା ହେଲେ ୭ ଅଧିକାରୀ

ଭୁବନେଶ୍ବର : ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଜାରି ରହିଛି। ଏବେ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୨ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଆଉ ୨ ଜଣଙ୍କ ପେନ୍ସନ ସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି। ଏଥିରେ ଜଣେ ଅଧୀକ୍ଷଣ ଯନ୍ତ୍ରୀ, ୨ ଜଣ ନିର୍ବାହୀ ଯନ୍ତ୍ରୀ, ୨ ଜଣ ସହାୟକ ଯନ୍ତ୍ରୀ, ଜଣେ କନିଷ୍ଠ ଯନ୍ତ୍ରୀ, ଜଣେ ଓଏଏସ୍ ଅଧିକାରୀ, ଜଣେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଓ ଜଣେ ସାମାଜିକ ଶିକ୍ଷା ଅଧିକାରୀ ଅନ୍ତର୍ଭୁକ୍ତ।
ପୂର୍ବରୁ ୧୬୪ ଜଣଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଥିବା ବେଳେ ଏହି ୯ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୭୩ ଜଣ ଅଧିକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଧ୍ୟତାମୂଳକ ଅବସର ଦିଆଯାଇଥିବା ୫ ଜଣ ଅଧିକାରୀ ହେଉଛନ୍ତି ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର ପୂର୍ବତନ ଅଧୀକ୍ଷଣ ଆଶିଷ କୁମାର ଦାଶ, ଭଦ୍ରକ ଗ୍ରାମ୍ୟ ଉନ୍ନୟନ ଡିଭିଡନ-୧ର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ମହାନ୍ତି, କଟକ ଗଣ୍ଡରପୁର ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରା, କେନ୍ଦୁଝର ଜିଲ୍ଲା ସାଳପଡ଼ାସ୍ଥିତ ବୈତରଣୀ ଜଳସେଚନ ଡିଭିଜନର ସହକାରୀ ଯନ୍ତ୍ରୀ ଉମେଶ କୁମାର ଶାଶିନୀ ଏବଂ ଉମରକୋଟ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ବିଶୁଦ୍ଧାନନ୍ଦ ବେହେରା।
ପାରଳାଖେମୁଣ୍ଡିର ଅବସରପ୍ରାପ୍ତ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଜଳଧର ମଲ୍ଲିକ ଓ ଗଞ୍ଜାମ ଜିଲ୍ଲା ରୁରାଲ ୱାର୍କ୍ସ ଡିଭିଜନ-୨ର ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ପୂର୍ବତନ କନିଷ୍ଠ ଯନ୍ତ୍ରୀ ତ୍ରିନାଥ ସେଠୀଙ୍କ ପେନ୍ସନକୁ ଭାବେ ବନ୍ଦ ରଖାଯାଇଛି।
ବର୍ତ୍ତମାନ ବାଲେଶ୍ବର ଜିଲ୍ଲାରେ ଡେପୁଟି କଲେକ୍ଟର ଥିବା ଓ ମୟୂରଭଞ୍ଜ ଜିଲ୍ଲାର ସାମାଖୁଣ୍ଟା ବ୍ଲକ୍ର ପୂର୍ବତନ ତହସିଲଦାର ସବିତା ସାହୁ ଏବଂ ବଲାଙ୍ଗୀର ଜିଲ୍ଲାର ପୂର୍ବତନ ସାମାଜିକ ଶିକ୍ଷା ସଂଗଠକ ପ୍ରଭାସିନୀ ବାବୁ ସ୍ବାମୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
Powered by Froala Editor