ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ମର୍ଣ୍ଣିଂ ୱାକ୍ରେ ପଳାଇଲେ ଡାକ୍ତର
ସରକାରୀ ଡାକ୍ତରଖାନାରେ ଅବହେଳା ପାଇଁ ସବୁବେଳେ ଅଭିଯୋଗ ହୋଇଆସୁଛି । ଏବେ ପୁଣି ଏଭଳି ଅଭିଯୋଗ ଆସିଛି ମହାରାଷ୍ଟ୍ର ଜାଲନା ସହରରୁ । ଏପରିକି ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ପୋଲିସ ଅଧିକାରୀ କହିଛନ୍ତି, ଅଭିଯୁକ୍ତ ଡାକ୍ତର ୨୬ ବର୍ଷୀୟ ନେହା ଲିଧୋରିଆଙ୍କୁ ଅନୁଭବହୀନ ନର୍ସିଂ ଷ୍ଟାଫଙ୍କ ଭରଷାରେ ଛାଡି ମର୍ଣ୍ଣିଂ ୱାକ ପାଇଁ ଚାଲିଯାଇଥିଲେ । ଏପ୍ରିଲ ୧୩ରେ ସନ୍ତାନକୁ ଜନ୍ମ ଦେବା ପରେ ପ୍ରସବଜନିତ ରକ୍ତସ୍ରାବ ଯୋଗୁଁ ନେହା ଲିଧୋରିଆଙ୍କ ମୃତ୍ୟୁ ହୋଇଥିଲା ।
ଭୁଲ କରିଥିବା ଡାକ୍ତର ଏବଂ ନର୍ସିଂ ଷ୍ଟାଫ ରୋଗୀଙ୍କୁ ରକ୍ତ ଆବଶ୍ୟକତା ଥିବା ନେଇ ସୂଚନା ଦେଇ ନଥିଲେ । ଯେଉଁଥି ପାଇଁ ଅତ୍ୟଧିକ ରକ୍ତହାନୀ ଯୋଗୁଁ ନେହାଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ମୃତ ମହିଳାଙ୍କ ସ୍ୱାମୀ ସରକାରୀ ଜିଲ୍ଲା ହସ୍ପିଟାଲରେ ଅଭିଯୋଗ କରି ପତ୍ନୀଙ୍କ ମୃତ୍ୟୁର ତଦନ୍ତ ପାଇଁ ଦାବି କରିଥିଲେ । ଏହି ଅଭିଯୋଗକୁ ଜିଏମସିଏଚ ପ୍ୟାନେଲକୁ ପଠାଯାଇଥିଲା। ମହିଳାଙ୍କ ମୃତ୍ୟୁର ତଦନ୍ତ ନେଇ ସରକାରୀ ଡାକ୍ତରଙ୍କ ଏକ କମିଟି ଗଠନ କରାଯାଇଥିଲା। କମିଟି ଦ୍ୱାରା ଅବହେଳା ମାମଲାରେ ଦୋଷୀ ପ୍ରମାଣିତ କରାଯିବା ପରେ ସ୍ତ୍ରୀ ବିଶେଷଜ୍ଞ ଡାକ୍ତରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ସୂଚନା ଅନୁସାରେ, ନେହାଙ୍କ ମୃତ୍ୟୁ ପୂର୍ବରୁ ସେ ଏକ ସୁସ୍ଥ ସନ୍ତାନକୁ ଜନ୍ମ ଦେଇଥିଲେ ।
Powered by Froala Editor