ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍ ଆସିଲେ ଆଦିବାସୀଙ୍କୁ ମିଳିବ ବହୁ ସୁବିଧା
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମି ପାର୍ଟି (ଆପ)ର ମୁଖ୍ୟ ଅରବିନ୍ଦ କେଜରିୱାଲ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହା ମଧ୍ୟରେ ସେ ଗୁଜରାଟର ରାଜ୍ୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା କେଜ୍ରିଓ୍ୱାଲ ଆଜି ଛୋଟା ଉଦୟପୁରର ବୋଦେଲିରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ରାଜ୍ୟରେ ଆପ୍ ସରକାର ଶାସନକୁ ଆସିଲେ ଆଦିବାସୀଙ୍କ ବିକାଶ କରାଯିବ । ଆଦିବାସୀଙ୍କ ପାଇଁ ରାଜ୍ୟରେ ପେସା ଆଇନ ଲାଗୁ କରାଯିବ । ଏହାସହ ଟ୍ରାଇବାଲ୍ ଆଡଭାଇଜରି କମିଟିର ଚେୟାରମ୍ୟାନ ଆଦିବାସୀ ହିଁ ହେବେ ବୋଲି ସେ କହିଛନ୍ତି । ସେହିପରି ବେକାର ଯୁବକ-ଯୁବତୀଙ୍କୁ ସେ ଚାକିରୀ ଦେବ ବୋଲି ସେ କହିଛନ୍ତି।
ଆଗାମି ଗୁଜରାଟ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି କେଜ୍ରିଓ୍ୱାଲ ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ସୁଧାର ଓ ମାଗଣା ବିଜୁଳି ଯୋଗାଇବାର ପ୍ରତିଶୃତି ଦେଇଛନ୍ତି। ପଞ୍ଜାବରେ ୨୫ ଲକ୍ଷ ଲୋକଙ୍କ ଘର ବିଜୁଳି ଖର୍ଚ୍ଚ ୦ (ଶୂନ) ଆସିଛି ଓ ଦିଲ୍ଲୀରେ ଅନେକ ଲୋକଙ୍କୁ ଏହି ସୁବିଧା ମିଳୁଛି। ମାଗଣା ବିଜୁଳି ଆମର ପ୍ରଥମ ପ୍ରତିଶୃତି।
ସେ କହିଛନ୍ତି ଖୁବଶୀଘ୍ର ଗୁଜରାଟରେ କଂଗ୍ରେସ ବିଜେପିରେ ବିଲିନ ହୋଇଯିବ। ବିଜେପି ଓ କଂଗ୍ରେସ ମଧ୍ୟରେ ତୁତୁ-ମେମେ ସରିବାକୁ ଯାଉଛି। ଗୋଟିଏ ପଟେ ବିଜେପିର ୨୭ ବର୍ଷର ଖରାପ ଶାସନ ଓ ଅନ୍ୟ ପଟେ ଆପ୍ର ନୂଆ ରାଜନୀତି ରହିଛି ବୋଲି ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି ।
Powered by Froala Editor