ଏ ସରକାର ଅପାରଗ, ଦୁର୍ନୀତିଗ୍ରସ୍ତ ଓ ଜନବିରୋଧୀ : ନରସିଂହ ମିଶ୍ର

ଭୁବନେଶ୍ୱର : ରାଜ୍ୟରେ ଆଇନର ଶାସନ ନାହିଁ । ଜଙ୍ଗଲରାଜ ଚାଲିଛି । ପୁଲିସ କହିଲେ ବିଜେଡ଼ି ଟିକେଟ ମିଳୁଛି । ଶାସକ ଦଳ ପାଇଁ ଭୋଟ ସଂଗ୍ରହ ନିମନ୍ତେ ପୁଲିସ ଲାଂଚ ଦେବାକୁ ବି ପଛାଉନାହିଁ । ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇପଡ଼ିଛନ୍ତି । ମହିଳାଙ୍କୁ ନ୍ୟାୟ ମିଳୁନାହିଁ । ଗୁଣ୍ଡାମାନଙ୍କ ପ୍ରାଦୁର୍ଭାବ ପଡ଼ିଛି । ଖଣି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସରକାର ବିଫଳ ହୋଇଛନ୍ତି । ଏହିଭଳି ଭାବେ ବିରୋଧୀ ସରକାରଙ୍କ ଉପରେ ବର୍ଷିଛନ୍ତି ।
ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଲେଯେ, ଜନମଙ୍ଗଳ ରାଷ୍ଟ୍ରରେ ପୁଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଓଡ଼ିଶା ଏବେ ପୁଲିସ ଶାସନ ଆଡ଼କୁ ଗତି କରୁଛି । ଡିଜି, ଏସପି କହିଲେ ଶାସକ ଦଳ ଟିକେଟ ମିଳୁଛି । ବିଧାୟକ ମୋହନ ମାଝୀ, ମୁକେଶ ମହାଲିଙ୍ଗଙ୍କ ଉପରେ ଆକ୍ରମଣ ହେଲେବି ପୁଲିସ ହାତବାନ୍ଧି ବସିପଡୁଛି । ହାଜତ ମୃତ୍ୟୁ ଓ ମାନବଚାଲାଣ ଉଦବେଗଜନକ ଭାବେ ବୃଦ୍ଧି ପାଇଛି । ଦିନରେ ଝିଅଟେ ପଦାକୁ ବି ବାହାରି ପାରୁନାହିଁ । ରାଜଧାନୀ ସମେତ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲା ନିଶାଦ୍ରବ୍ୟ କାରବାରର ପେଣ୍ଠସ୍ଥଳୀ ପାଲଟିଯାଇଛି । ମହିଳାଙ୍କୁ ନ୍ୟାୟଦେବାରେ ସରକାର ବିଫଳ ହୋଇଛନ୍ତି । ଗୋଚାଲାଣକାରୀଙ୍କ ବିରୋଧରେ ପ୍ରତିବାଦ କଲେ ପୁଲିସ ମିଛ ମାମଲାରେ ଛନ୍ଦି ଦେଉଛି । ସାଇବର ଠକେଇ ଓ ଚାକିରୀ ନାଁରେ ଠକେଇ ର୍ୟାକେଟ କାୟା ବିସ୍ତାର କରିବାରେ ଲାଗିଛନ୍ତି । ଗାଁ ତେଜରାତି ଦୋକାନରେ ଏବେ ବିଦେଶୀ ମାଲ ମିଳୁଛି ବୋଲି ଶ୍ରୀ ସେଠୀ ସମାଲୋଚନା କରିଥିଲେ । ଆଲୋଚନାରେ ବିଜେପି ପକ୍ଷରୁ ବିଧାୟକ ସର୍ବଶ୍ରୀ ସନାତନ ବିଜୁଳି, ମୁକେଶ ମହାଲିଙ୍ଗ, କୁସୁମ ଟେଟେ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେଯେ, ଏ ସରକାର ଅପାରଗ, ଦୁର୍ନୀତିଗ୍ରସ୍ତ ଓ ଜନବିରୋଧୀ ସରକାର । ଦୁର୍ନୀତି ପାଇଁ ଥିବା ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉନାହିଁ । ଖଣି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସରକାର ବିଫଳ ହୋଇଛନ୍ତି । ମାଇନିଂରୁ ଆସୁଥିବା କଳାଧନ ଏବେ ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରୁଛି । ଶାସକ ଦଳର ଭୋଟ ପାଇଁ ଭୋଟରଙ୍କୁ ପୁଲିସ ଲାଂଚ ଦେଉଛି । ଗୁଣ୍ଡାମାନେ ଭୋଟରଙ୍କୁ ଧମକାଉଛନ୍ତି । କିନ୍ତୁ ଅଭିଯୋଗ କଲେବି ପୁଲିସ ନୀରବଦ୍ରଷ୍ଟା ସାଜିଛି । ରାଜ୍ୟରେ ଆଇନର ଶାସନ ନାହିଁ, ଜଙ୍ଗଲ ରାଜ ଚାଲିଛି । ଅପରାଧିଙ୍କ ବାହାଘରରେ ପୁଲିସ ଅତିଥି ସାଜିଛି । ଓଡ଼ିଶାରେ ଅପରାଧ ହାର ଉଦବେଗଜନକ ଭାବେ ବଢ଼ିଚାଲିଛି ବୋଲି ନରସିଂହ କହିଥିଲେ । ଆଲୋଚନାରେ କଂଗ୍ରେସ ପକ୍ଷରୁ ବିଧାୟକ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା ଓ ତାରା ବାହିନୀପତି ଭାଗ ନେଇଥିଲେ ।
Powered by Froala Editor