ସାହାଯ୍ୟ କଲେନି କେହି, ସାନଭାଇ ମୃତଦେହକୁ ଧରି ରାସ୍ତା କଡ଼ରେ ବସିଲା ବଡ଼ ଭାଇ

ମଣିଷ ମନରୁ ସତରେ ହଜିଗଲାଣି ମାନବିକତା । ନହେଲେ ରାସ୍ତା କଡ଼ରେ ୨ ବର୍ଷର ସାନ ଭାଇ ମୃତଦେହକୁ ଧରି ବସିନଥାନ୍ତା ୮ ବର୍ଷର ଗୁଲସନ । ଏଭଳି ଦୃଶ୍ୟ ଯାହାକୁ ବି ହେଲେ ଆନ୍ଦୋଳିତ କରିବ । କିନ୍ତୁ ଏ ସ୍ୱାର୍ଥପର ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ସାମାନ୍ୟ ସାହାଯ୍ୟ କରିବାକୁ କୁଣ୍ଠାବୋଧ କରନ୍ତି ।
ମଧ୍ୟପ୍ରେଦେଶର ମୋରାନା ଟାଉନ୍ରୁ ଏମିତି ଏକ ଦାରୁଣ ଚିତ୍ର ଆସିଛି। ଏକ ରୋଗରେ ପୀଡ଼ିତ ହୋଇ ଏଠିକାର ସରକାରୀ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ପରେ ଶବ ନେବାକୁ ଆମ୍ବୂଲାନ୍ସ ଦେବାକୁ ମନା କରିଦେବା ପରେ ଏମିତି ଘଟଣା ଘଟିଛି। ହସପିଟାଲରୁ ନିରାଶ ହୋଇ ଫେରିବା ପରେ ବାପା ଆମ୍ବୁଲାନ୍ସ ପାଇଁ ଯୋଗାଡ଼ କରୁଥିବା ବେଳେ କୁନି ବଡ଼ ଭାଇ ଗୁଲସନ ସାନଭାଇର ମୃତ ଦେହକୁ ଧରି ବସିଥିଲା। ଯାହା ଦେଖଣାହାରୀଙ୍କୁ ଖୁବ୍ ମର୍ମାହତ କରଥିଲା।
ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ଆମବାହର ବଦଫ୍ରା ଗ୍ରାମର ପୋଜାରାମ ଜଟାଭଙ୍କ ୨ ବର୍ଷର ସାନ ପୁଅ ରାଜା ଆନେମିଆ ରୋଗରେ ପୀଡ଼ିତ ହୋଇଥିଲେ। ଭୋପାଳରୁ ୩୦ କିଲୋମିଟର ଦୁରରୁ ଦୁଇ ବର୍ଷର ପୁଅକୁ ଡାକ୍ତରଖାନାକୁ ଆଣିଥିଲେ ବାପା । ରାଜାର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଗାଁରୁ ଆସିଥିବା ଆମ୍ବୁଲାନ୍ସ ଫେରିଯାଇଥିବା ବେଳେ ସେଠାରେ ଆଉ ଆମ୍ବୁଲାନ୍ସ ମିଳିନଥିଲା । ବାପା ଯେତେ ନେହୁରା ହୋଇଥିଲେ ମଧ୍ୟ କେହି ଖାତିର ବି କରିନଥିଲେ । ଆମ୍ବୁଲାନ୍ସ ଦେଢ ହଜାର ଟଙ୍କା ମାଗିବାରୁ ନିଜ ଅକ୍ଷମତା ଦର୍ଶାଇଥିଲେ ବାପା ।
ଶେଷରେ ସାନ ପୁଅର ଶବ ସହ ବଡ଼ ପୁଅକୁ ଧରି ଡାକ୍ତରଖାନାରୁ ପଳାଇ ଆସିଥିଲେ । ରାସ୍ତାରେ କଡ଼ରେ ବଡ଼ ପୁଅକୁ ବସାଇ ବାପା ଗାଡି ଖୋଜିବାକୁ ଯାଇଥିଲେ । ଏହି ସମୟରେ ଅନେକ ଲୋକ ଏଭଳି ସ୍ଥିତିକୁ ଦେଖି ବିଚଳିତ ହୋଇଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦିଆଯାଇଥିଲା । ଅନେକ ସମୟର କସରତ ପରେ ଆମ୍ବୁଲାନ୍ସ ଆସି ମୃତଦେହକୁ ନେଇ ସେଠାରୁ ଯାଇଥିଲା । ଏହି ଘଟଣାକୁ ସୋସିଆଲ ମିଡିଆରେ ପ୍ରବଳ ନିନ୍ଦା କରାଯାଇଛି ।
Powered by Froala Editor