ଗଡ଼ିଲା ତାଳଧ୍ୱଜ , ଆରମ୍ଭ ହେଲା ରଥଟଣା
ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମା ଯିବେ କାଳିଆ ଠାକୁର । ଗୁଣ୍ଡିଚା ମନ୍ଦିରରେ ଚାଲିବ ତିନି ଠାକୁରଙ୍କ ଲୀଳାଖେଳା । ଏଥିପାଇଁ ରଥାରୁଢ ହୋଇଛନ୍ତି ମହାପ୍ରଭୁ । ଚଳଚଚଞ୍ଚଳ ଶ୍ରୀକ୍ଷେତ୍ରଧାମ । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ହୋଇଛି ମହାମିଳନ । ଲକ୍ଷାଧିକ ଭକ୍ତଙ୍କ ସମାଗମରେ ପ୍ରକମ୍ପିତ ହୋଇଉଠିଛି ବଡଦାଣ୍ଡ ।ତେବେ ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ପୂର୍ବରୁ ବଡଦାଣ୍ଡରେ ଗଡିଛି ତିନି ରଥ ।
ରଥ ଉପରେ ‘ଛେରାପହଁରା’ ନୀତି କରିଛନ୍ତି ଗଜପତି ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ ରଥରେ ଛେରାପହଁରା ନୀତି କରାଯିବା ପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ଛେରାପହଁରା କରିଛନ୍ତି। ଏହାପରେ ଦର୍ପଦଳନରେ ଛେରାପହଁରା ନୀତି କରିଛନ୍ତି ଗଜପତି ମହାରାଜା। ସୁବର୍ଣ୍ଣ ଖଡିକା ଧରି ଛେରାପହଁରା କରିଛନ୍ତି ଗଜପତି ମହାରାଜା। ଛେରାପହଁରା ନୀତି ପରେ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ତାଳଧ୍ୱଜ ରଥରେ ଚାରମାଳ ଫିଟା ଯାଇ ଘୋଡା ଯକା ଯାଇ ରଥଟଣା ଆରମ୍ଭ ହୋଇଛି ।
ସୂଚନା ମତାବକ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ନୀତିକାନ୍ତି ୩ ଘଣ୍ଟା ଆଗୁଆ ରହିଛି ବୋଲି ଜଣାପଡ଼ିଛି । କରୋନା ପାଇଁ ୨ ବର୍ଷ ପରେ ବଡ଼ ଦାଣ୍ଡରେ ଏକାଠି ହୋଇଛନ୍ତି ଭକ୍ତ ଓ ଭଗବାନ । ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁ ଭକ୍ତ ଓ ଭଗବାନଙ୍କ ଏକାଠିକୁ ବାରଣ କରିଥିଲା ପ୍ରଶାସନ ଓ ସରକାର । ଅର୍ଥାତ୍ ବିନା ଭକ୍ତରେ ସେବାୟତ ଓ ପୁଲିସ ପ୍ରଶାସନ ଦ୍ୱାରା ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା । କେବଳ ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରିପାରୁଥିଲେ ଭକ୍ତ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ହଟିଥିବାରୁ ବଡ଼ ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳିଛି । ଏଥି ପାଇଁ ପ୍ରଶାସନ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିବା ବେଳେ ସୁରୁଖୁରୁରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଉଛି । ଭୋର ୩ଟା ସମୟରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସରିଥିବା ବେଳେ ସଢ଼େ ୩ଟା ସମୟରେ ମଇଲମ ନୀତି ସମ୍ପନ୍ନ ହୋଇଛି ।
Powered by Froala Editor