ବଢୁଛି କରୋନା ସଂକ୍ରମଣ : ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କଲା ବିଏମସି
ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ଉପରମୁହାଁ ହୋଇଛି । ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନିଗମ ପକ୍ଷରୁ କରୋନା ଗାଇଡଲାଇନ୍ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବା ସହ ସପିଂ ମଲ୍ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ୨ମିଟର ସାମାଜିକ ଦୂରତ୍ୱ ପାଳନ ଓ ଲୋକଙ୍କ ଭିଡ଼ ଜମିଲେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହାସହିତ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ସହରବାସୀଙ୍କୁ ଘରୁ ବାହାରିବାବେଳେ ଅବା ଜନଗହଳିପୂର୍ଣ୍ଣ ଅଂଚଳକୁ ଯିବାବେଳେ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଛନ୍ତି । ସାମାଜିକ ଦୂରତ୍ୱ, ଟେଷ୍ଟିଙ୍ଗ ଓ ଚିକିତ୍ସା ମାଧ୍ୟମରେ କୋଭିଡକୁ ନିୟନ୍ତ୍ରଣ କରିପାରିବା ବୋଲି ବିଏମସି କମିଶନର କହିଛନ୍ତି ।
ବିଏମସି ପକ୍ଷରୁ ଜାରି ପରାମର୍ଶକୁ କଡ଼ାକଡ଼ି ଭାବେ ପାଳନ ନିମନ୍ତେ ରାଜଧାନୀବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଘରୁ ବାହାରିବାବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ୨ମିଟରର ସାମାଜିକ ଦୂରତ୍ୱ ବଜାୟ ରଖିବା, ସମସ୍ତ ସପିଂ ମଲ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ୨ମିଟରର ସାମାଜିକ ଦୂରତ୍ୱ ପାଳନକୁ ସୁନିଶ୍ଚିତ କରାଇବାକୁ କୁହାଯାଇଛି । ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିତ ଦୂରତ୍ୱ ପାଳନ ସୁନିଶ୍ଚିତ କରାଇବା ଦାୟିତ୍ୱ ପ୍ରତିଷ୍ଠାନର ମାଲିକଙ୍କର ରହିବ । ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା, ପରିଷ୍କାର ପରିଚ୍ଛନ୍ନତା ପାଇଁ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଜାରି ଏହି ପରାମର୍ଶନାମାକୁ ଉଲ୍ଲଘଂନ କଲେ ଆଇନତଃ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ ଚେତାବନୀ ଦିଆଯାଇଛି ।
Powered by Froala Editor