ହିମନ୍ତ ବିଶ୍ୱ ଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ : ଆସାମରେ ବିଜେପି ପୁଣି ଥରେ ସରକାର ଗଢ଼ିବାକୁ ଯାଉଥିବାବେଳେ ନେତୃତ୍ୱ କିନ୍ତୁ ବଦଳିଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ନିଜ ପଦବୀରୁ ଇସ୍ତଫା ଦେଇସାରିଛନ୍ତି । ଫଳରେ ଆସାମରେ ବିଜେପିକୁ କ୍ଷମତାର ସ୍ୱାଦ ଚଖାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ହେବେବୋଲି ଚର୍ଚ୍ଚା ଜୋରଧରିଛି । ଗତ ଦୁଇଦିନ ଧରି ଆସାମ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦିଲ୍ଲୀରେ ବେଶ ଅଙ୍କକଷା ଚାଲିଥିଲା ।
ଗତ ବିଧାନସଭା ନିର୍ବାଚନରେ ଆସାମରେ ବିଜେପିକୁ ୬୦ ଆସନ ମିଳିଥିଲା । ଅପରପକ୍ଷରେ ଏହାର ସହଯୋଗୀ ଦଳଗୁଡ଼ିକ ମଧ୍ୟ ନିର୍ବାଚନରେ ସଫଳ ହୋଇଥିଲେ । ଏନଡ଼ିଏକୁ ୭୫ ଆସନ ମିଳିଥିବାବେଳେ ଉପାକୁ ୫୦ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । ତେବେ ଅନ୍ୟ ସବୁ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀମାନେ ଶପଥ ନେଇ ସାରିଥିବାବେଳେ ଆସାମରେ କିନ୍ତୁ ଅଙ୍କ ଛିଣ୍ଡିପାରିନଥିଲା ।
ହେମନ୍ତ ବିଶ୍ୱ ଶର୍ମା ଏକଦା କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗଦେଇଥିଲେ । ଯାହାଫଳରେ ବିଜେପି ବେଶ ଶକ୍ତିଶାଳୀ ହୋଇପାରିଥିଲା । ଆସାମରେ ପ୍ରଥମ ଥର ପାଇଁ ଐତିହାସିକ ବିଜୟ ହାସଲ କରିବା ପରେ ସମସ୍ତେ ଭାବୁଥିଲେ ହିମନ୍ତ ବିଶ୍ୱଶର୍ମା ହିଁ ମୁଖ୍ୟମନ୍ତ୍ରୀ ହେବେ । ତେବେ ତାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ପଦରେ ହିଁ ସନ୍ତୁଷ୍ଟ ହେବାକୁୁ ପଡ଼ିଥିଲା । କିନ୍ତୁ ଏଥର ମୁଖ୍ୟମନ୍ତ୍ରୀ ହେବାପାଇଁ ଶର୍ମାଙ୍କ ନିମନ୍ତେ ରାସ୍ତା ପ୍ରଶସ୍ତ ହୋଇଯାଇଛି । ଏନେଇ ବିଜେପି ଚୂଡ଼ାନ୍ତ ନିଷ୍ପତି ନେଇସାରିଥିବାବେଳେ ଖୁବଶୀଘ୍ର ବିଧିବଦ୍ଧ ଘୋଷଣା ହେବବୋଲି ଚର୍ଚ୍ଚା ହେଉଛି ।
Powered by Froala Editor