ଏସସିବିରେ କରୋନା ରୋଗୀଙ୍କ ପାଇଁ ବଢିବ ଆହୁରି ୧୦୦ ବେଡ

ଏସସିବିରେ ଆହୁରି ୧୦୦ ବେଡ ବଢ଼ିବ । ଏଥିରେ ୪୧ଟି ଆଇସିୟୁ ବେଡ ଓ ୪୦ଟି ଏଚ୍ଡିୟୁ ରହିବ । ଏସ୍ସିବିକୁ ମିଶାଇ କଟକରେ ଏବେ ୧୨ ଶହ ବେଡ, ୩୦୦ ଆଇସିୟୁ ଅଛି । କୋଭିଡ ସଂପର୍କିତ ସୂଚନା ଦେବା ଅବସରରେ କଟକ ମହାନଗର ନିଗମ (ସିଏମ୍ସି) କମିସନର ଅନନ୍ୟା ଦାସ ଏହା କହିଛନ୍ତି । ଏସ୍ସିବିରେ ବେଡ ଉପଲବ୍ଧତା ବଢ଼ିଲେ ଅନ୍ୟ ଜିଲ୍ଲାର ରୋଗୀ ମଧ୍ୟ ଉପକୃତ ହେବେ ବୋଲି ସେ ସୂଚନା ଦେଇଛନ୍ତି ।
କଟକ ମହାନଗର ନିଗମ ଅଞ୍ଚଳରେ ଏବେ ୩, ୬୮୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ପ୍ରାୟ ୮୫ ପ୍ରତିଶତ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି । ହୋମ୍ ଆଇସୋଲେସନରେ ରହୁଥିବା ଆକ୍ରାନ୍ତଙ୍କ ପାଇଁ ଆରଏଟି ରହିଛି । ଆରଏଟି ଆକ୍ରାନ୍ତଙ୍କ ସହ ଯୋଗାଯୋଗରେ ରହୁଛି । ଆବଶ୍ୟକତା ଅନୁସାରେ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି । କୋଭିଡ୍ କେୟାର୍ ସେଣ୍ଟରରେ ୪୦ରୁ ୪୫ ପ୍ରତିଶତ ଆକ୍ରାନ୍ତ ରହୁଛନ୍ତି । ସିସିସିର ଅକ୍ସିଜେନ୍ ସୁବିଧା ଅଛି । କିଛି ଅସୁବିଧା ହେଲେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଛି । ପ୍ରାୟ ୧୦ ପ୍ରତିଶତ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ୍ ନିଆଯାଉଥିବା ବେଳେ ୩ ପ୍ରତିଶତ ଆକ୍ରାନ୍ତଙ୍କୁ ଆଇସିୟୁ ଆବଶ୍ୟକ ହେଉଛି ।
ଶ୍ରୀମତୀ ଦାସ କହିଛନ୍ତି ଯେ, ସଂକ୍ରମିତ ମାନେ ଘରେ ରହି ଚିକିତ୍ସିତ ହୁଅନ୍ତୁ । ଜରୁରୀ ପଡ଼ିଲେ ଆମ ନମ୍ବର (କୋଭିଡ କଣ୍ଟ୍ରୋଲ ରୁମ ନଂ ୭୦୭୭୭୭୫୫୫୫୫) ସହ ଯୋଗାଯୋଗ କରନ୍ତୁ । ଟୋଲ ଫ୍ରି ନମ୍ବର ୧୮୦୦୩୪୫୮୨୮୯କୁ ଜଣାନ୍ତୁ । ଲକ୍ଷଣ ଥାଇ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ସୂଚନା ଦିଅନ୍ତୁ ବୋଲି ଶ୍ରୀମତୀ ଦାସ କହିଛନ୍ତି ।
Powered by Froala Editor