ଆତ ଯାତ ପାଇଁ ଦରକାର ପରିଚୟପତ୍ର ଓ ଅଥରାଇଜେସନ ଲେଟର

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରର ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ଏବେ ୧୪ ଦିନିଆ ଲକଡାଉନ କରାଯାଇଛି । ଏହି ଅବସରରେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଯିବା ଆସିବା ପାଇଁ ଅନୁମତି ଦିଆଯାଇଛି । ଗତ ଲକଡାଉନରେ ପୁଲିସ ତରଫରୁ ପାସ ବ୍ୟବସ୍ଥା କରାଯାଇଥିବାବେଳେ ଚଳିତ ଥର କିନ୍ତୁ ସେଭଳି ପାସ ବ୍ୟବସ୍ଥା କରାଯାଇ ନାହିଁ । ନିଜ ନିଜ ସଂସ୍ଥା ଦ୍ୱାରା ପ୍ରଦତ୍ତ ପରିଚୟପତ୍ର ଦେଖାଇ ଲୋକମାନେ ଯିବା ଆସିବା କରୁଛନ୍ତି । ତେବେ ଚଳିତ ଲକଡାଉନରେ ପରିଚୟପତ୍ର ଧରି କେତେକ ମନଇଚ୍ଛା ବୁଲୁଥିବା ନଜରକୁ ଆସୁଛି । ଯାହାକୁ କମିଶନରେଟ ପୁଲିସ ପକ୍ଷରୁ ଗୁରୁତର ଭାବେ ଗ୍ରହଣ କରାଯାଇଛି ।
ଏହି ଅବସରରେ ପୁଲିସ କମିଶନର କହିଛନ୍ତି ଯେ, ଲକଡାଉନ କଟକଣାକୁ ଆହୁରି କଡ଼ାକଡ଼ି କରାଯିବ । ଲକଡାଉନରେ ଆତଯାତ ପାଇଁ ପୁଲିସ କାହାକୁ ପାସ ଦେଇନି । ସଂସ୍ଥା ପରିଚୟ ଦେଖାଇ ଯାଉଛନ୍ତି, ପୁଲିସ ତାକୁ ବିଶ୍ୱାସ କରୁଛି । କିଛି ଲୋକ ପରିଚୟପତ୍ରର ଦୁରୂପଯୋଗ କରି ମନଇଚ୍ଛା ବୁଲୁଛନ୍ତି । ଏସବୁ ଦୂର କରିବାକୁ ଓ ଭିଡ଼ କମାଇବାକୁ କଟକଣା କଡ଼ା ହୋଇଛି । କେଉଁ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି, ସଂସ୍ଥା ସେମାନଙ୍କ ତାଲିକା ଦେବ । ସମ୍ପୃକ୍ତ ସଂସ୍ଥା ପକ୍ଷରୁ କର୍ମଚାରୀଙ୍କ ତାଲିକା ଡିସିପି ଅଫିସରେ ଦାଖଲ କରାଯିବ । ସଂସ୍ଥା ଅଧିକୃତ କର୍ମଚାରୀଙ୍କୁ ଏକ ଅଥରାଇଜେସନ ଲେଟର ବି ଦେବ । ପରିଚୟପତ୍ର ଓ ଅଥରାଇଜେସନ ଲେଟରକୁ ସମ୍ପୃକ୍ତ କର୍ମଚାରୀ ଆତଯାତ ବେଳେ ଦେଖାଇବେ ବୋଲି ପୁଲିସ କମିଶନର କହିଛନ୍ତି ।
Powered by Froala Editor