ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାର କଙ୍କାଳ ଠାବ ଘଟଣା, ୬ ଗିରଫ
ବଡମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଠାବ ଘଟଣାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ଘଟଣା ପାଇଁ ବନ ବିଭାଗ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ୨ ରେଞ୍ଜରଙ୍କ ସମେତ ୩ ନିଲମ୍ବିତ ଓ ଅନ୍ୟ ୬ ଜଣ ଗିରଫ ହୋଇଛନ୍ତି। ବଡ଼ମ୍ବା ରେଞ୍ଜର ସୁରେଶ କୁମାର ଷଡ଼ଙ୍ଗୀ, ଫରେଷ୍ଟର ମନୋଜ ଦାସ ଓ ଖୁଣ୍ଟୁଣି ରେଞ୍ଜର ଗଜେନ୍ଦ୍ର ପାଲ ସିଂହ ମାଥୁର ନିଲମ୍ବିତ ହୋଇଛନ୍ତି। ତେବେ ମନୋଜ ଗିରଫ ଭୟରେ ଚମ୍ପଟ୍ ମାରିଥିଲା ବେଳେ ଅନ୍ୟ ୬ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ହାତୀ ଜଗୁଆଳି, ଜଣେ ଫରେଷ୍ଟ ଗାର୍ଡ, ୨ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି। ଏନେଇ ଆଠଗଡ଼ ଏସିଏଫ୍ ହରେକୃଷ୍ଣ ମଲିକ୍ ସୂଚନା ଦେଇଛନ୍ତି।
ଗତ ୨ ଓ ୩ ତାରିଖରେ ଏସ୍ଟିଏଫ୍ ଟିମ୍ ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜ ଅଞ୍ଚଳରୁ ୨ଟି ହାତୀ କଙ୍କାଳ ଉଦ୍ଧାର କରିଥିଲେ। ପରେ ବନ ବିଭାଗ ଫରେଷ୍ଟର ପ୍ରଦୀପ ପରିଡ଼ା ଓ ବିଟ ଗାର୍ଡ ତନ୍ମୟ ବେହେରାଙ୍କୁ ନିଲମ୍ବିତ କରିଥିଲା। ସେହି ଘଟଣାରେ ଗତକାଲି ବଡ଼ମ୍ବା ରେଞ୍ଜର ଫରେଷ୍ଟର ମନୋଜ ଦାସ ଓ ଫରେଷ୍ଟ ଗାର୍ଡ ନରେନ୍ଦ୍ର ଦେହୁରିଙ୍କୁ ନିଲମ୍ବନ କରାଯାଇଥିଲା। ଫରେଷ୍ଟର ମନୋଜ ଦାସଙ୍କୁ ଜେରା ପାଇଁ ଆଠଗଡ଼ ଡିଏଫଓ ଅଫିସ ଅଣାଯାଇଥିବା ବେଳେ ସେ ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି।
ଅନ୍ୟପଟେ ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀର ସାତକୋଶିଆ ଏବଂ ନନ୍ଦନକାନନରୁ ଆସିଥିବା ବିଶେଷଜ୍ଞ ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି । ଏବେ ବି ଜୀବନମରଣ ସହିତ ସଂଗ୍ରାମ କରୁଛି ଗୁଳିବିଦ୍ଧ ଦନ୍ତା । ହାତୀଟିର ବୟସ ୮ ରୁ ୧୦ ବର୍ଷ ହେବ। ହାତୀକୁ ଉନ୍ନତ ମାନର ସ୍ଵତନ୍ତ୍ର ଚିକିତ୍ସା ଯୋଗାଉଛନ୍ତି ବିଶେଷଜ୍ଞ ଡ଼ାକ୍ତରୀ ଟିମ୍। ହେଲେ ତିନି ଦିନ ପରେ ମଧ୍ୟ ଗୁଳିବିଦ୍ଧ ହାତୀର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିନି।
Powered by Froala Editor