ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପାଇଁ ୩ ଟି ମାମଲା ରୁଜୁ

ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ସମେତ ୯ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ର ସ୍ପେଶାଲ୍ ସେଲ୍ର ସାଇବର ୟୁନିଟ୍। ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପାଇଁ ତାଙ୍କ ବିରୋଧରେ ୩ ଟି ମାମଲା ରୁଜୁ ହୋଇଥିବା ବେଳେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ ବିରୋଧରେ ବି ଥାନାରେ ମାମଲା ହୋଇଛି। ଗତକାଲି ସେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ। ଏଥିପାଇଁ ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।
ନୂପୁର ଶର୍ମାଙ୍କ ବିରୋଧରେ ଆଇପିସି ଧାରା ୧୫୩(ଦଙ୍ଗା ଉସ୍କାଇବା ଉଦ୍ଦେଶ୍ୟରେ ଜାଣିଶୁଣି ଉତ୍ତଜକ ମନ୍ତବ୍ୟ ଦେବା), ଧାରା ୨୯୫(ସାମ୍ପ୍ରଦାୟିକ ସଦଭାବନା ବିଗାଡ଼ିବାକୁ ଜାଣିଶୁଣି ଆହତ ପହଞ୍ଚାଇବା) ଏବଂ ଧାରା ୫୦୫(ଲୋକଙ୍କୁ ଭୂଆଁ ବୁଲାଇବା ବାଇଁ ଭ୍ରମାତ୍ମକ ତଥ୍ୟ ଦେବା) ଲଗାଯାଇଛି।
ନୂପୁର, ଓୱେସୀଙ୍କ ବ୍ୟତୀତ ଆଉ ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି, ସେମାନେ ହେଉଛନ୍ତି- ବିଜେପିରୁ ବହିଷ୍କୃତ ନେତା ନବୀନ କୁମାର ଜିନ୍ଦଲ, ଶାଦବ ଚୌହାନ, ସାମ୍ବାଦିକ ସବା ନକଭୀ, ମୌଲାନା ମୁଫ୍ତୀ ନଦୀମ, ଅବଦୁଲ ରହମାନ, ଗୁଲଜାର ଅନ୍ସାରୀ, ଅନୀଲ କୁମାର ମୀନା ଓ ପୂଜା ଶକୁନ। ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି।
Powered by Froala Editor