ଗାନ୍ଧି ଓ ନେହରୁଙ୍କୁ ମିଳିଲା ମନ୍ତ୍ରୀ ପଦ

ନୂଆଦିଲ୍ଲୀ : ଷ୍ଟାଲିନ, ଗାନ୍ଧି ଓ ନେହରୁଙ୍କ ଭଳି ନାମ କୌଣସି ଇତିହାସ ପୃଷ୍ଠାର ରାଷ୍ଟ୍ରନେତା ନୁହେଁ, ବରଂ ତାମିଲନାଡୁରେ ନବଗଠିତ କ୍ୟାବିନେଟରେ ସ୍ଥାନ ପାଇଥିବା ଏହି ନାମଧାରୀ ମନ୍ତ୍ରୀମାନେ ରହିଥିବା ରୋଚକ ଚର୍ଚ୍ଚାର ବିଷୟ ହୋଇଛି । ସେମାନଙ୍କ ମଧ୍ୟରେ ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାଲିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ନେଇଛନ୍ତି । ପୂର୍ବତନ ସୋଭିଏତ ସଂଘର ରାଷ୍ଟ୍ରନେତା ଜୋସେଫ ଷ୍ଟାଲିନଙ୍କ ନାମାନୁସାରେ ନାମକରଣ ହୋଇଥିବା ନୂଆ ମୁଖ୍ୟମନ୍ତ୍ରୀଙ୍କ ସହିତ ଶପଥ ନେଇଥିବା ଅନ୍ୟ ୩୩ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ନେହରୁ ଓ ଗାନ୍ଧି ମଧ୍ୟ ରହିଛନ୍ତି । ସେମାନଙ୍କ ଭିତରେ ତିରୁଚିରାପଲ୍ଲୀ ଡିଏମକେର ଟାଣୁଆ ନେତା ଏ ଏନ ନେହରୁ ରାଜ୍ୟ ପୌର ପ୍ରଶାସନ ବିଭାଗର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କର ନାମକରଣ ମଧ୍ୟ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନାମାନୁସାରେ କରାଯାଇଥିବା ଶୁଣିବାକୁ ମିଳିଛି । ସେହିପରି ହସ୍ତତନ୍ତ ଓ ବୟନ ମନ୍ତ୍ରୀ ଭାବେ ଶପଥ ନେଇଥିବା ଆର ଗାନ୍ଧି ମଧ୍ୟ ତାମିଲନାଡୁ କ୍ୟାବିନେଟର ଷ୍ଟାଲିନ-ଗାନ୍ଧି-ନେହରୁ ତ୍ରୟର ଅନ୍ୟତମ ଅଂଶ ଭାବେ ଚର୍ଚ୍ଚିତ ହୋଇଛନ୍ତି ।
Powered by Froala Editor