କରୋନା ଯୋଗୁଁ ପୁଣି ଆଉ ଏକ ରୋଗ ବଢୁଛି

ନୂଆଦିଲ୍ଲୀ : ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଏବେ କୋଭିଡ ଜନିତ ବ୍ଳାକ ଫଙ୍ଗସ ବା ମ୍ୟୁକୋର୍ମାଇକୋସିସ ମାମଲା ଅଧିକ ଦେଖିବାକୁ ମିଳିଛି । ମହାମାରୀ କୋଭିଡ-୧୯ର ଏହା ଏପରି ଏକ ଲକ୍ଷଣ ଯେଉଁଥିରେ ବିଶେଷ କରି ପୂର୍ବରୁ ଶରୀରରେ କୌଣସି ପ୍ରକାର ପ୍ରତ୍ୟଙ୍ଗ ପ୍ରତିରୋପଣ କରିଥିବା ରୋଗୀ, ଆଇସିୟୁରେ ଚିକିତ୍ସାଧୀନ ଥିବା ରୋଗୀ ଓ ବହୁ ଦିନ ଧରି ରୋଗପ୍ରତିରୋଧକତା ଅଭାବର ଶିକାର ହୋଇଥିବା ରୋଗୀମାନେ ହିଁ ମୁତୁ୍ୟମୁଖରେ ପଡ଼ିବା ସାର ହେଉଛି । ବିଗତ ଦୁଇ ଦିନ ଭିତରେ ଉକ୍ତ ଘରୋଇ ଡାକ୍ତରଖାନାରେ ଏପରି ୬ ଜଣ ମ୍ୟୁକୋର୍ମାଇକୋସିସ ରୋଗୀ ଭର୍ତ୍ତି ହୋଇଥିବା ବରିଷ୍ଠ କର୍ଣ୍ଣ-ନାସା-ଗଳା(ଇଏନଟି) ବିଶେଷଜ୍ଞ ଡା. ମନୀଶ ମୁଞ୍ଜାଲ କହିଛନ୍ତି । ସୂଚନା ଥାଉ କି, ଗତବର୍ଷ ଦୃଷ୍ଟି ଶକ୍ତି ହରାଇଥିବା ରୋଗୀ ଏବଂ ନାସା ଓ ହନୁହାଡ଼ ଆଦି ନିଷ୍କାସନ କରାଯାଇଥିବା ରୋଗୀଙ୍କ ଭିତରୁ ଅନେକ ଏହି ଘାତକ ସଂକ୍ରମଣରେ ଆଖି ବୁଜିଥିଲେ ବୋଲି ସେ କହିଛନ୍ତି । ତେବେ ଚଳିତବର୍ଷ କୋଭିଡରେ ସଂକ୍ରମିତ ହେଉଥିବା ମଧୁମେହ ରୋଗୀ ଏବଂ କୋଭିଡ ଚିକିତ୍ସାରେ ବ୍ୟବହୃତ ଶକ୍ତିବର୍ଦ୍ଧକ ହିଁ ଏପରି ମ୍ୟୁକୋର୍ମାଇକୋସିସର ଅନ୍ୟତମ କାରଣ ହୋଇପାରେ ବୋଲି ଉକ୍ତ ଡାକ୍ତରଖାନାର ଇଏନଟି ବିଭାଗ ମୁଖ୍ୟ ଡା. ଅଜୟ ସ୍ୱରୂପ ଆଶଙ୍କା ବ୍ୟକ୍ତ କରିଛନ୍ତି । ଏହି ଲକ୍ଷଣ ସାଧାରଣତଃ କୋଭିଡରୁ ଆରୋଗ୍ୟଲାଭ କରିଥିବା ପୀଡ଼ିତଙ୍କ ଠାରେ ଦେଖାଯାଉଛି ଯେଉଁମାନଙ୍କ ଠାରେ ମଧୁମେହ, ବୃକକ ଓ ହୃତପିଣ୍ଡ ଆଦି ସମସ୍ୟା ରହିଛି ।
Powered by Froala Editor