୫ ବର୍ଷର ଝିଅ ଦେହରେ ‘ମଙ୍କିପକ୍ସ’ ଲକ୍ଷଣ, ପରୀକ୍ଷା ପାଇଁ ଗଲା ନମୂନା
ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ୫ ବର୍ଷର ଝିଅ ଦେହରେ ‘ମଙ୍କିପକ୍ସ’ ଭାଇରସ ଦେଖାଦେଇଛି। ଏନେଇ ଗାଜିଆବାଦ ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି। ଏହା ସାମ୍ନାକୁ ଆସିବା ପରେ ସୁରକ୍ଷା ଦୃଷ୍ଟିରୁ ତା’ ନମୂନା ପରୀକ୍ଷା ପାଇଁ ପଠାଯାଇଛି।
ଝିଅଟିର ଦେହ ସାରା କୁଣ୍ଡେଇ ହବା ସହ ଘା’ ହୋଇଯାଉଥିବା ନେଇ ଅଭିଯୋଗ ଆସିବା ପରେ ତୁରନ୍ତ ତା’ର ମଙ୍କିପକ୍ସ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରାଯାଇଛି। ତେବେ ଝିଅର ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ଏଥିସହ ଗତ ୧ ମାସ ହେବ ତା’ର କେହିବି ସମ୍ପର୍କୀୟ ବିଦେଶ ଯାତ୍ରା କରିନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ, ସର୍ଦ୍ଦି ଭଳି ଅସୁସ୍ଥତା ଏବଂ ‘ଲିମ୍ଫ୍ ନଡ୍’ ଫୁଲା ପରେ ଦେହ ଓ ମୁହଁରେ ଘା’ ହେବା ହେଉଛି ‘ମଙ୍କିପକ୍ସ୍’ର ଲକ୍ଷଣ। ଆଫ୍ରିକାର କେତେକ ପ୍ରାନ୍ତ ହେଉଛି ଏହି ରୋଗର ମୂଳସ୍ଥାନ। ସେଠାରେ କୃଦନ୍ତ (ଠେକୁଆ, ମୂଷା ଆଦି ଜୀବ) ଅଥବା କ୍ଷୁଦ୍ର ଜନ୍ତୁମାନଙ୍କ କାମୁଡ଼ିଲେ ଲୋକେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି।
ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ଗୁରୁତ୍ୱ ଦେଇ ଏକ ଜରୁରୀ ବୈଠକ କରିଥିଲେ। ବର୍ତ୍ତମାନ ଭାରତ ମଧ୍ୟ ମଙ୍କିପକ୍ସକୁ ନେଇ ସତର୍କ ହୋଇପାରିଛି। ଜନସଂଖ୍ୟା ଦୃଷ୍ଟିରୁ ଦେଶର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶ ସରକାର ଏ ସମ୍ପର୍କରେ ଏକ ଆଡଭାଇଜରୀ ମଧ୍ୟ ଜାରି କରିଛନ୍ତି।
Powered by Froala Editor