ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ: ଜାତୀୟ ଉଦ୍ୟାନର ୧ କିମି ପରିଧିରେ ହୋଇପାରିବ ନାହିଁ ଉନ୍ନୟନମୂଳକ କାର୍ୟ୍ୟ

ନୂଆଦିଲ୍ଲୀ: ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ୟ୍ୟ ଓ ଖଣି ଖନନ ହୋଇପାରିବ ନାହିଁ। ଏନେଇ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ନିର୍ମାଣ କାର୍ୟ୍ୟ ଓ ଖଣି ଖନନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ଜଷ୍ଟିସ ଏଲ୍. ନାଗେଶ୍ୱର ରାଓ, ଜଷ୍ଟିସ୍ ବିଆର ଗବାଇ ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷ୍ ମାମଲାର ଶୁଣାଣି କରି କହିଛନ୍ତି ଯେ, ସମ୍ବେଦନଶୀଳ ଜୈବ ମଣ୍ଡଳର ୧ କିଲୋମିଟ ପରିଧିରେ କୌଣସି ପ୍ରକାର ନିର୍ମାଣ କାର୍ୟ୍ୟ କରାଯାଇପାରିବ ନାହିଁ। ତେବେ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ ପୂର୍ବରୁ ଆରମ୍ଭ ହୋଇ କାମ ଜାରି ରହିଛି। ସେସବୁ ଯଦି ନିୟମାବଳି ଭିତରେ ଆସୁଥିବ, ତା ହେଲେ ପିସିସିଏଫଙ୍କ ଅନୁମତି ନେଇ କାମ ଜାରି ରଖାଯାଇ ପାରିବ ବୋଲି କୋର୍ଟ କହିଛନ୍ତି।
ତେବେ କୌଣସି ପ୍ରକାର ନୂଆ ସ୍ଥାୟୀ ନିର୍ମାଣ କାର୍ୟ୍ୟ ହୋଇ ପାରିବ ନାହିଁ। ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ୟ୍ୟ ହୋଇଥିଲେ ପିସିସିଏଫ ଏହାର ଏକ ତାଲିକା ପ୍ରସ୍ତୁତ କରି ୩ ମାସ ମଧ୍ୟରେ କୋର୍ଟରେ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor