ନାଇଟ୍ରାଇଟ କାରଖାନାରେ ବଡ଼ ବିସ୍ଫୋରଣ
![ନାଇଟ୍ରାଇଟ କାରଖାନାରେ ବଡ଼ ବିସ୍ଫୋରଣ](https://odishanewslens.com/news_gallery/13817_1654197282.jpg)
ଗୁଜୁରାଟର ଭଦୋଦରା ସହରର ନନ୍ଦେସାରିଠାରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ହୋଇ ଭୀଷଣ ନିଆଁ ଲାଗିଛି । ଏହି ଘଟଣାରେ ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଏକାଧିକ ଅଗ୍ନିଶମ ଗାଡ଼ି ଓ ପୁଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ସେମାନେ ନିଆଁକୁ ଆୟତ୍ତ କରିବା ସହ ବିଷାକ୍ତ ଗ୍ୟାସ୍ ଲିକ୍ ହେବାର ଆଶଙ୍କା ଥିବାରୁ ପୂରା ଅଞ୍ଚଳକୁ କର୍ଡନ କରିଛନ୍ତି। ସେହିପରି ବିସ୍ଫୋରଣ କାରଣ ଜଣାପଡ଼ିନି। ଫ୍ୟାକ୍ଟ୍ରୀରେ ନିଆଁ ଲାଗିଥିବାରୁ ପୂରା ଅଞ୍ଚଳ ଧୂଆଁମୟ ହୋଇ ଯାଇଛି। ସେହିପରି ନିଆଁ ହୁତୁହୁତୁ ହୋଇ ଜଳୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁସାରେ ନନ୍ଦେସାରି ଶିଳ୍ପାଞ୍ଚଳଠାରେ ଥିବା ଦୀପକ୍ ନାଇଟ୍ରାଇଟ କାରଖାନାରେ ଏକ ବଡ଼ ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା । ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ତାହା ଅନେକ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା । ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ଅନେକ ଲୋକ ଫ୍ୟାକ୍ଟ୍ରୀରେ ଫସି ରହିଥିବା ଆଶଙ୍କା କରାଯାଉଛି। ଏହି କାରଖାନା ନିକଟରେ କେତେକ ଆବାସିକ ଅଂଚଳ ଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
Powered by Froala Editor