ଆଜି ପଞ୍ଚାୟତ ଜନପ୍ରତିନିଧିଙ୍କ ପ୍ରଶିକ୍ଷଣ କାର୍ୟ୍ୟକ୍ରମର ଉଦଘାଟନ କରିବେ ନବୀନ
ଭୁବନେଶ୍ବର: ଓଡ଼ିଶାରେ ନବ ନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧିଙ୍କର ବଢିବ କାର୍ୟ୍ୟ ଦକ୍ଷତା । ଦକ୍ଷତା ବୃଦ୍ଧି ପାଇଁ ଦିଆଯିବ ତାଲିମ । ଆଜି ଏନେଇ ଏକ ପ୍ରଶିକ୍ଷଣ କାର୍ୟ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ସଭାପତି, ଉପସଭାପତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ପ୍ରତ୍ୟେକ ବ୍ଲକରୁ ଜଣେ ସରପଞ୍ଚଙ୍କୁ ତାଲିମ ଦିଆଯିବ । ଏନେଇ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଭୁବନେଶ୍ବର କିଟ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ।
ଉଦ୍ଘାଟନୀ କର୍ମଶାଳାରେ ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ମିଶନ ଶକ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଗଣ ଯୋଗ ଦେବେ । ଏହି ରାଜ୍ୟସ୍ତରୀୟ କର୍ମଶାଳାରେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ଶାସନ ସଚିବ ତଥା ଅନ୍ୟାନ୍ୟ ସରକାରୀ ପଦାଧିକାରୀମାନେ ଉପସ୍ଥିତ ରହିବେ । ରାଜ୍ୟର ନବ ନିର୍ବାଚିତ ସମସ୍ତ ୧, ୦୬,୩୫୨ ପଞ୍ଚାୟତ ଜନ ପ୍ରତିନିଧିଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ୬ ମାସ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଜିଲ୍ଲା ପରିଷଦ ସଭାପତିଙ୍କ ନିମନ୍ତେ ୨ ଦିନ, ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ସଦସ୍ୟଙ୍କ ନିମନ୍ତେ ୩ ଦିନ, ସରପଞ୍ଚଙ୍କ ନିମନ୍ତେ ୫ ଦିନ ଏବଂ ୱାର୍ଡ ସଦସ୍ୟଙ୍କ ନିମନ୍ତେ ୩ ଦିନର ପ୍ରଶିକ୍ଷଣ କାର୍ୟ୍ୟକ୍ରମ ସ୍ଥିର କରାଯାଇଛି ।ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଗୁଡ଼ିକ ଆଗାମୀ ଦିନରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେବ ।
Powered by Froala Editor